ଅଙ୍କା ବଙ୍କା ନଈ

ଏଇ ଘଟଣାଟି ପରେ ଅନେକ ଅଭିଭାବକ ପିଲାଙ୍କ ମାର୍କ ନଖୋଜି ପିଲା କ’ଣ କରିବାକୁ ଭଲ ପାଉଛି ବା କେଉଁଟା ଭଲ କରିପାରୁଛି ପଚାରିବାକୁ ଆରମ୍ଭ କରିଥିଲେ । ପିଲାଙ୍କୁ ସମୟ ଦେବା ଆରମ୍ଭ କରିଥିଲେ । ଜଜମେଣ୍ଟାଲ୍ ନହୋଇ ଶ୍ରୋତା ହେବା ଆରମ୍ଭ କରିଥିଲେ । ଏତିକି କରିବା କଣ ସତରେ ଏତେ କଷ୍ଟ?

ଆଜୱା ସହ ଭେଟ ହେବାର ପ୍ରାୟ ଦୁଇ ବର୍ଷ ପରେ ଭେଟ ହୋଇଥିଲା ତାପସ ସହ । ଆଜୱା ଆଉ ତାପରି ଅନେକ ପିଲାଙ୍କ ସମସ୍ୟାର ସମାଧାନ କରିନପାରିବାର ଅବଶୋଷ ମେଣ୍ଟିଲା ଯାଇ ତାପସର ସମସ୍ୟା ସମାଧାନ ହେଲା ପରେ ।

ହାଇଦ୍ରାବାଦର ଇଂଲିସ୍ ଏଣ୍ଡ ଫରେନ୍ ଲାଙ୍ଗୁଏଜ୍ ୟୁନିଭର୍ସିଟି ପାଖରେ ରହୁଥାନ୍ତି ଆଜୱାର ପରିବାର । ମୋ ସାଙ୍ଗ ରୀନାକୁ ଏଇ କୁନି ଝିଅଟିକୁ ପଢ଼ାଇବା ଲାଗି ମିଳିଥାଏ ନୂଆ ନିଯୁକ୍ତି । ରୀନା ଟିକେ ଡରୁଥାଏ ବୋଲି ମୁଁ ତା’ ସାଙ୍ଗରେ ଯାଇଥାଏ ପ୍ରଥମ ଦିନ । 

ଆଜୱା, ଚାରି ବର୍ଷର ଝିଅଟିଏ । ନରମ ନରମ ଗୋଲାପି ରଙ୍ଗର ଦେହର ଗଢ଼ଣ । କାନରେ ପିନ୍ଧିଥିବା ସରୁ ରିଙ୍ଗ ଦୁଇଟିରେ ଲାଲ୍ ପଥର, ମଥାରେ ଗୋଲାପି ରଙ୍ଗର ଦୁଇଟି କୁନି କୁନି କ୍ଳିପ୍, ଖୁବ୍ କୁନି କୁନି ଗୋରା ତକତକ୍ ପାଦ ଆଉ ହାତରେ ଲାଲ୍ ରଙ୍ଗର ନେଲପଲିସ୍, ମଥାରେ ନାଲି ବିନ୍ଦି । ଆଖି ତା’ର ଢଳ ଢଳ ଅଧା ଖୋଲା ଅଧା ବନ୍ଦ ହୋଇ ରହସ୍ୟର ପେଡ଼ିଟିଏ ପରି ଲାଗୁଥାଏ । ଛଳ ଛଳ ତା’ର ଆଖି... । ସତେ ଯେମିତି ଖୁବ୍ ଗଭୀରରୁ ଉଠୁଥାଏ ତା’ର ଏ କୋହ... । ସେ କ’ଣ ଗୋଟେ ଖୋଜୁଥାଏ ବୋଧେ... । ଜେଜେମା କାନି ପଛରେ ସେ ଲୁଚି ରହିଲା କିଛି ସମୟ ।

ବାପା-ମା ଦୁଇ ଜଣ ଚାକିରିଆ । ତେଣୁ ଅଫିସରୁ ଫେରି ଶୋଇଥା’ନ୍ତି । ଆମେ ଯିବା ବେଳକୁ ଦିନ ଚାରିଟା । ଜେଜେମା ତା’ ହାତରେ ପଢ଼ା ବ୍ୟାଗ ଆଣି ଧରାଇଲେ ବି ସେ ଆସିବାକୁ ମଙ୍ଗୁ ନଥାଏ । ମୁହଁ ଆଖି ଲାଲ୍ କରି ସେମିତି କାନ୍ଦୁଥାଏ । ମୁଁ ତା’ ଜେଜେମାଙ୍କୁ ଡାକି କିଛି ସମୟ କଥା ହେବା ଭିତରେ ସେ ଚିତ୍ର ଆଙ୍କିବାକୁ ଭଲ ପାଏ ବୋଲି ଜାଣିଲି । ଅନେକ ଚିତ୍ର ଆଙ୍କି ସାଇତି ରଖିଛି ମଧ୍ୟ । ଜେଜେମା ତା’ର ପଚାଶ ସରିକି ଚିତ୍ର ଆଣି ମୋତେ ଦେଲେ । ବଡ଼ ବଡ଼ ଡ୍ରଇଁ ସିଟ୍ ରେ ଆଜୱା ପେନସିଲ୍ ରଙ୍ଗରେ ଗୁଡ଼ାଏ ଚିତ୍ର ଆଙ୍କିଥାଏ । ସବୁ ଚିତ୍ରରେ ଗୋଟେ ଖାଲି ଖାଲି ମାନେ ଶୂନ୍ୟତାର ଭାବ ବାରି ହୋଇପଡୁଥାଏ । କାଗଜର ଗୋଟିଏ କଡେ଼ ମେଞ୍ଚାଏ ଚିତ୍ରର ମେଳ (ପାହାଡ଼, ଘର, ଗଛ, ଗାଈ, ନଈ, ଆକାଶ, ଟି.ଭି., କାର୍ଟୁନ) ତ ଅନ୍ୟପଟେ ଏକୁଟିଆ ଚିତ୍ରଟିଏ; ଗୋଟିଏ ଚଢେ଼ଇ, ଗୋଟିଏ ଘାସ, ଗୋଟିଏ ଅଙ୍ଗୁରୁ ନହେଲେ ଗୋଟିଏ କାଗଜଫୁଲ ପରି କିଛି । ସତେ ଯେମିତି ପଲ ପଲ ଚଢେ଼ଇଙ୍କ ଭିତରୁ ଏ ଚଢେ଼ଇଟିକୁ କିଏ ଠେଲି ବାହାର କରିଦେଇଛି... ଅଙ୍ଗୁରୁ ପେନ୍ଥାରୁ କିଏ ଗୋଟିକୁ ହିଁ ଛିଡେ଼ଇ ଆଣିଛି ନଚେତ୍ କାଗଜ ଫୁଲର ପେନ୍ଥା ଭିତରୁ କିଏ ଜାଣିଶୁଣି ଗୋଟିଏ ଫୁଲ ହିଁ ତୋଳି ପକାଇଛି ।

ଏହିସବୁ ଦେଖୁ ଦେଖୁ ଓ ବୁଝିବାର ପ୍ରୟାସ କରୁ କରୁ ମୋ ଛାତି ରୁନ୍ଧି ହୋଇ ଆସିଲା । ଆଜୱା ଏଥର ଚିହ୍ନା ଚିହ୍ନା ମନେହେଲା । ଆଉଥରେ ଦେଖିବାକୁ ଇଚ୍ଛା ହେଲା ତାକୁ । ସାମ୍ନାକୁ ଚାହିଁଲା ବେଳକୁ ଆଜୱା ମୋତେ ସେମିତି ଚୁପଚାପ ଚାହିଁ ରହିଥାଏ । ତା’ର ସେ ଲାଲ୍ ଥମଥମ୍ ମୁହଁକୁ ଦେଖି ମୋ ଆଖିରେ ଲୁହ ଆସିଗଲା ଯେ ମୁଁ ମୁହଁ ଲୁଚେଇ ଦେଲି । ଆଜୱା କିନ୍ତୁ ସେମିତି କାନ୍ଦୁଥାଏ । ଜେଜେମା, ଚାକରାଣୀ, ରୀନା ସମସ୍ତେ ବୁଝେଇ ବୁଝେଇ ଥକିଗଲା ପରେ ବି ସେ ଚୁପ୍ ହେଉନଥାଏ । ତେଣୁ ମୋତେ ଉ‌ଠିବାକୁ ହେଲା। ନିଜର କୋହକୁ ଚାପି ମୁଁ ଯାଇ ତାକୁ କାଖ କରି ଟିକେ ଗେଲ କରି ଚେଆରରେ ବସାଇଦେଲି । ଏଥର ସେ ପୁରା ଚୁପ୍ ହୋଇଗଲା । ପଢ଼ିବାକୁ ନ କହିଥିଲେ ବି ସିଧା ଯାଇ ରୀନା ପାଖରେ ବସିପଡ଼ିଲା ।

ରୀନା ତାକୁ ସମାଜବିଜ୍ଞାନ ପଢ଼ାଉଥାଏ । ସେ କିନ୍ତୁ ରହି ରହି ମୋତେ ମୁହଁ ଟେକି ଟିକେ ଅନାଉଥାଏ । ଆଉ ମୋତେ ଚାହିଁବା ମାତ୍ରେ ହିଁ ତା ଆଖିରୁ  ଝରିଯାଉଥାଏ ଧାର ଧାର ଲୁହ । ଅଦ୍ଭୁତ... । ଅଥଚ୍ ଆଉ କାହାକୁ ବି ଦେଖି ବିଲକୁଲ୍ କାନ୍ଦୁନଥାଏ ସେ ।  କିଛି ସମୟ ପରେ ବାପା ମାଆ ତା’ର ଉଠିଲେ । ଆଜୱା ପାଖକୁ ଆସିବାକୁ ବା ତା’ର ନୂଆ ଶିକ୍ଷକଙ୍କୁ ଭେଟିବାକୁ ସମୟ ନଥିଲା ତାଙ୍କର । ତେଣୁ ଗାଧୋଇପାଧୋଇ ଫ୍ରେସ୍ ହୋଇ ଆମେ ଯେଉଁଠି ବସି ପଢ଼ୁଥାଉ ତା ସାମ୍ନାରେ ଥିବା ଡାଇନିଂ ଟେବୁଲରେ ବସି ଖାଇସାରି ଅଫିସ୍ ଯିବା ଲାଗି ବାହାରି ସାରିବା ପରେ ରୀନାକୁ “ଆଜୱା ବହୁତ ଇମୋସନାଲ, ତାକୁ ଟିକେ ସ୍ନେହରେ କଥାବାର୍ତ୍ତା କରିବ” କହି ଝିଅ ଗାଲରେ ଟିକେ ଗେହ୍ଲ କରିଦେଇ ବାଏ ବାଏ କହି ଦୁହେଁ ଚାଲିଗଲେ । ତା’ ଆଖି, ତା’ ଲୁହ, ତା’ ଲାଲ୍ ଲାଲ୍ ନାକ କିଛି ବୋଧହୁଏ ତାଙ୍କ ନଜରରେ ପଡ଼ିଲାନି । 

ସେମାନେ ଯାଉଁ ଯାଉଁ ମୁଁ ପୁଣିଥରେ ଆଜୱା ଆଡ଼କୁ ଚାହିଁ ଦେଲି ଯେ ତା’ ଆଖିରୁ ପୁଣି ଧାର ଧାର ଲୁହ ବହିଗଲା । ମୋ ଅବସ୍ଥା ବି ଠିକ୍ ତା’ରି ପରି ସେତେବେଳକୁ । ଛାତି ଭିତରଟା ରୁନ୍ଧି ହୋଇ କୋହ ଉଠୁଥାଏ । ଆଜୱା ନଜରରେ ଧରାପଡ଼ିଯିବି ବୋଲି ଡରି ଆଖି ଆଗରେ ହାତଟାକୁ ଦେଇଥାଏ । ଧରାପଡ଼ିଗଲେ ତା’ ଆଖିରୁ ପୁଣି ଲୁହ ଝରିବାକୁ ଆଉ ସହିପାରିବିନି ବୋଲି ମୁଁ ଜାଣିଥାଏ । ମୁଁ ଆଉ ଚାହିଁ ପାରୁନଥାଏ ତା’ ଆଖିକୁ । ନାକ ଅଗଟା ଏବେ ତା’ର ପୁରା ଲାଲ୍ । ମୋ ଭିତରେ କିନ୍ତୁ କିଏ ଜଣେ ଭାରି ବିକଳ ହେଉଥାଏ ତାକୁ ଦେଖିବାକୁ, ବୁଝିବାକୁ, କଥା ହେବାକୁ,  ମନେଇବାକୁ । କିନ୍ତୁ ପାରୁନଥାଏ । ମୋ ଭିତରର କୋହକୁ ଅଟକେଇବାକୁ ମୁଁ ଛାତ ଉପରକୁ ଚାଲିଆସିଲି । ଘଣ୍ଟାଏ ପରେ ରୀନା ଫେରିବା ପାଇଁ ଡାକିବାରୁ ତଳକୁ ଆସି ଆଜୱାର ଜେଜେମା’ଙ୍କ ସହ ଟିକିଏ କଥା ହେଲି । 

ବାପା, ମାଆ ଦୁହେଁ ଚାକିରିଆ, ପ୍ରାୟ ସମୟରେ ରାତି ଡ୍ୟୁଟି । ସେମାନେ ସକାଳେ ଘରକୁ ଫେରିବା ବେଳକୁ ଆଜୱା ସ୍କୁଲ ଯାଉଥାଏ ଆଉ ସେ ସ୍କୁଲରୁ ଫେରିବା ବେଳକୁ ଏମାନେ ଶୋଇଥାନ୍ତି । ଏମାନେ ଉଠିବା ବେଳକୁ ଆଜୱା ଟ୍ୟୁସନରେ ବସିଥାଏ । ସେଇ ଟ୍ୟୁସନ ସମୟରେ ଟିକେ ଧରି ଦେଇ ବାଏ ବାଏ କହି ଚାଲିଯାଆନ୍ତି ବାପା ମାଆ । ରବିବାର ଦିନ କିନ୍ତୁ ବଡ଼ ମଲ୍ ଯାଇ ଗୁଡ଼ାଏ ଖେଳନା, ଲୁଗାପଟା ଧରେଇ ଦିଅନ୍ତି । ଏତିକିରେ ପିଲା ପ୍ରତି ଦାୟିତ୍ୱ ଶେଷ । 

ଯେଉଁ ବାପା-ମାଆମାନେ କହନ୍ତି ଯେ, “ଆମେ ନିଜ ପିଲା ମଣିଷ ହେଉ ବୋଲି ହିଁ ଏତେ କଷ୍ଟ କରୁଛୁ, ଏତେ ସମୟ କାମ କରୁଛୁ, ଏତେ ପଇସା ରୋଜଗାର କରି ତା ନାଁରେ ରଖୁଛୁ”  ଅଥଚ୍ ପିଲାକୁ ଗୋଟିଏ ମୁହୂର୍ତ୍ତ ବି ସମୟ ଦେଇପାରନ୍ତିନି, ପିଲା କ’ଣ ଚାହୁଁଛି ବୁଝି ପାରନ୍ତିନି ସେମାନେ ମହାନ୍ ନିଶ୍ଚୟ । ମୁଁ କିନ୍ତୁ ମହାନ୍ ନୁହେଁ । 

ମହାନ୍ ନୁହେଁ ବୋଲି ଏଇ କେତେବର୍ଷ ତଳେ ମୁଁ ଯେତେବେଳେ ବିକଳ୍ପ ଶିକ୍ଷା ଉପରେ କାମ କଲି, ସେତେବେଳେ ଅଭିଭାବକମାନଙ୍କୁ ନିଜ ପିଲା ସହ କେମିତି ଅଧିକ ସମ୍ପର୍କିତ କରେଇହେବ ସେ ବିଷୟରେ ଚିନ୍ତା କଲି । ତାପସ, ରଶ୍ମୀ, ପଦ୍ମା, ମିହିର ପରି ଯେଉଁ ପିଲାମାନେ ଦିନ ଦିନ ଧରି ବାପା-ମାଙ୍କ ସହ କଥା ହୁଅନ୍ତିନି କି ଛୁଟିରେ ଘରକୁ ଯିବାକୁ ଚାହାଁନ୍ତିନି, ସେମାନଙ୍କ ପାଇଁ ଥରକୁ ଥର ନୂଆ ଉପାୟ ପାଞ୍ଚିଲି । ଅଭିଭାବକମାନଙ୍କୁ ବୈଠକରେ ନହେଲେ ଏକା ଏକା କଥା ହେବାବେଳେ ବୁଝେଇଲି । ଛୁଟିରେ ପିଲାଙ୍କୁ ଘରକୁ ନେବା ବେଳେ ଏଇ ଏଇ କାମ ନିହାତି କରିବେ’ର ଲମ୍ବା ଚିଠା ମଧ୍ୟ ଧରେଇଲି । ଆଶା ଥାଏ ହୁଏତ ସମ୍ପର୍କର ଖିଅଟିଏ ଯୋଡ଼ିଯିବ ଏଥର । ତଥାପି ହୋଇପାରିଲାନି କିଛି । ଶେଷରେ ତାପସ ତା’ ମାଆ ସହ ଦୁଇ ବର୍ଷ ହେଲା କଥା ହେଉନି ବୋଲି ଜାଣିବା ପରେ ତାଙ୍କ ହୃଦୟକୁ ଓ ଆବେଗକୁ ଛୁଇଁବା ପାଇଁ ନୂଆ ଯୋଜନାଟିଏ କଲି । ମାଧ୍ୟମଟି ବାଛିଲି ଅଭିନୟ । ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ହେବାକୁ ଥିବା ନାଟକଟିକୁ ମୋତେ ଲେଖିବାକୁ ହେଲା । ଆରମ୍ଭ ହେଲା ନାଟକ ଲେଖା ପିଲାଙ୍କର ସ୍ୱତନ୍ତ୍ର ବରାଦ ଅନୁସାରେ । ନାଟକ ଛୋଟ ହେଲେ ଭଲ ଲାଗିବନି, ତେଣୁ ନିହାତି ଦୁଇ ଘଣ୍ଟିଆ ହୁଏ ଯେମିତି କହିଲେ ପିଲା। ତାଙ୍କରି କଥା, ତାଙ୍କରି ଅସୁବିଧା, ତାଙ୍କରି ଅଭିଯୋଗ, ଅଭିମାନ ଆଉ ଦୁଃଖକୁ ସିଧାସଳଖ ଅଜାଡ଼ିଦେଲି ସଂଳାପରେ । କିଛି ସେମାନେ କହିଥିଲେ, ଅନେକ କିଛି ନକହିଲେ ବି ମୁଁ ବୁଝିପାରୁଥିଲି । 

ନାଟକର ନାଁ ଥିଲା “ସମ୍ପର୍କର ଦୁନିଆଁ’ । ମୁଖ୍ୟ ଚରିତ୍ରର ଅଭିନୟଟି ତାପସ ନିଜେ ହିଁ କରିଥିଲା । କାହାଣୀଟି ଦୁଇଟି ପରିବାରର  ପିଲାଙ୍କୁ ନେଇ ଆରମ୍ଭ ହୋଇଥିଲା । ଯେତେବେଳେ ଛୋଟ ପିଲା ଦୁଇଜଣ ବଡ଼ ହୋଇଗଲେ ସେତେବେଳେ କ’ଣ କ’ଣ ଅସୁବିଧା ସବୁ ଆସିଲା, କେମିତି ସେମାନଙ୍କ ଭିତରେ ପ୍ରତିଶୋଧମୂଳକ ବ୍ୟବହାର ବା ନୀରବ ଓ ଏକୁଟିଆ ହୋଇ ରହିବାର ପ୍ରବୃତ୍ତି ଦେଖାଦେଲା, ସମାଧାନ କେମିତି ହେଲା ସେଇସବୁ ଥିଲା କାହାଣୀରେ । ମନସ୍ତତ୍ତ୍ୱବିତ୍ ର ଭୂମିକାଟି କରୁଥାଏ ତାପସ । ସଂଳାପ ଯାହା ଲେଖାଯାଇଥିଲା ସେଥିରେ ନିଜସ୍ୱ ଅନୁଭବଗୁଡ଼ିକୁ ମିଶାଇ କହିବାର ସ୍ୱାଧୀନତା ଦେଇଥିଲି ସବୁ ଚରିତ୍ରମାନଙ୍କୁ । ତେଣୁ ଅଭିନୟ ଖୁବ୍ ଭାବପ୍ରବଣ କରିଥିଲା ଦର୍ଶକଙ୍କୁ । କାହାଣୀଟି ସରିଥିଲା ଖଲିଲ ଜିବ୍ରାନଙ୍କର “ସମସ୍ତଙ୍କର ଏକ ନିଜସ୍ୱ ଦୁନିଆ ଅଛି । ତୁମ ସନ୍ତାନ ପ୍ରକୃତରେ ତୁମ ଆପଣାର ସନ୍ତାନ ନୁହଁନ୍ତି ଯେ, ତୁମେ ତାକୁ ନିଜସ୍ୱ ସମ୍ପତ୍ତି ପରି ବ୍ୟବହାର କରିବ । ସେମାନେ ଜୀବନଟିଏ ଜନ୍ମ ନେବାର ଆକାଂକ୍ଷାରୁ ଜାତ । ତୁମମାନଙ୍କ ମଧ୍ୟ ଦେଇ ସେମାନେ ସଂସାରକୁ ଆସନ୍ତି । କିନ୍ତୁ ତୁମମାନଙ୍କ ଠାରୁ ସେମାନଙ୍କର ଉଦ୍ଭବ ହୁଏ ନାହିଁ .. .. .. .. ” ସଂଳାପରୁ । ସଂଳାପଟି ଦର୍ଶକଙ୍କୁ କଷ୍ଟ ଦେଇଥିଲେ ମଧ୍ୟ ନାଟକର ଶେଷ ଗୀତଟି ଆବେଗରେ ଅଧିର କରିଥିଲା ଓ ପ୍ରକୃତ କଥାଟିକୁ ବୁଝିବାରେ ସହାୟକ ହୋଇଥିଲା । “କାଚପରି ସ୍ୱଚ୍ଛ ସିଏ, ଛୁଅଁନା ଭାଙ୍ଗିଯିବ; ଭାଙ୍ଗି ଗଲେ ଥରେ ସିଏ ତାକୁ କି ଯୋଡ଼ି ପାରିବ? ଛୁଇଁ କି ପାରିବ ତାକୁ ଆପଣାର ହୋଇ, ସମ୍ପର୍କର ଦୁନିଆରେ ସାଥିଟିଏ ହୋଇ?” ଗୀତଟିର ଅଭିନୟ ଦେଖୁ ଦେଖୁ ଅଭିଭାବକ ଓ ପିଲାଙ୍କ ଭିତରେ ସ୍ୱତସ୍ଫୁର୍ତ୍ତ ଯୋଗସୂତ୍ରଟିଏ ସ୍ଥାପିତ ହୋଇଯାଇଥିଲା । ମଞ୍ଚରୁ ଓହ୍ଲାଉ ଓହ୍ଲାଉ ତାପସର ମାଆ ଲୁହ ଭର୍ତ୍ତି ଆଖିରେ ତାପସକୁ ଜାବୋଡ଼ି ଧରି ଆଗ ଡଗଡଗ କରି କହିଗଲେ କେତେ କଥା । ସେଦିନ ରାତି ଏଗାରରୁ ମାଆ-ପୁଅ କଥା ଆରମ୍ଭ କଲେ ଯେ କଥା ସରିବା ବେଳକୁ ଭୋଅର ପାଞ୍ଚ ।

ଏଇ ଘଟଣାଟି ପରେ ଅନେକ ଅଭିଭାବକ ପିଲାଙ୍କ ମାର୍କ ନଖୋଜି ପିଲା କ’ଣ କରିବାକୁ ଭଲ ପାଉଛି ବା କେଉଁଟା ଭଲ କରିପାରୁଛି ପଚାରିବାକୁ ଆରମ୍ଭ କରିଥିଲେ । ପିଲାଙ୍କୁ ସମୟ ଦେବା ଆରମ୍ଭ କରିଥିଲେ । ଜଜମେଣ୍ଟାଲ୍ ନହୋଇ ଶ୍ରୋତା ହେବା ଆରମ୍ଭ କରିଥିଲେ । ଏତିକି କରିବା କଣ ସତରେ ଏତେ କଷ୍ଟ? 


Leave a comment