ସା

କବି ରାଜେନ୍ଦ୍ର କିଶୋର ପଣ୍ଡା, ଓଡିଆ କବିତାର ଅନନ୍ୟ ପୁରୁଷ । କବିତାରେ ତାଙ୍କ ଠାଣି ଓ ଚାହାଣୀ ସ୍ଵତନ୍ତ୍ର । ସେ ମହାମୁକ୍ତିର ମନୋରମ ଉଦ୍ଗାତା । ସେ ସିଦ୍ଧ ଓ ଅଘୋରୀ । ସେ ପ୍ରେମିକ ଓ ସନ୍ୟାସୀ । କୌଣସି ବନ୍ଧନୀରେ ସେ ଧରା ଦିଅନ୍ତି ନାହିଁ । ତୀବ୍ର ଜ୍ଵଳନ ଓ ଉଗ୍ର ଶୀତଳତାର ସେ ଏକ ଆଶ୍ଚର୍ଯ୍ୟ ମିଶ୍ରଣ । ଓଡିଆ କବିତାରେ ସେ ଏକ, ଅନନ୍ୟ ଓ ଏକମାତ୍ର ।
ସା' ମାନେ ସେ, କିଏ ସେ ????

[] ୧ []

ସେ ଗାରେଇ ଦେଲେ ହିଁ କାଗଜରେ 

ଅଥବା ଶୂନ୍ୟରେ

ମଂତ୍ରଟିଏ ଗୁଣ୍ ଗୁଣ୍ ହୁଏ 

କବିତା ଝର୍ଝରେଇ ଯାଏ କୁଳୁକୁଳୁକୁଳୁ

ବନ୍ୟାବିତ୍ପାତ ଆସେନା — 

ନା ଗିରିପଥରେ ଆସେ ନା ଜନପଦରେ 

ଉତ୍ପତ୍ତି ହିଁ ସ୍ବାଭାବିକ ଗୁଣ ତାର, ଉତ୍ପାତ କେବେ ନୁହେଁ 

ସବାଖାଈ ସେ ନୁହେଁ ଜମା, ସର୍ବସ୍ନେହା ହୋଇ ସେ 

ବିଶ୍ବରେ ସଂଚରେ 

ନିଜର ଦୁଃଖ ସୁଖକୁ ଆଉଁସି ଦେଇ ସେ

ମୃଦୁ ଆହ୍ଲାଦରେ

ସଭିଂକ ସହିତ ମିଶି ହଲ୍ଲୀଷକରେ କେବେ ତ

କେବେ ବା ନିଜ ଭିତରେ ନିଜେ ନିଜେ 

ହସେ, ଲେଖେ, ନାଚେ ଆଉ ବଂଚେ ତାର ଜୀବନାନନ୍ଦରେ !

ଚାଲି ତାର ଏତେ ଲଳିତ ଯେ 

ମୋତେ ଲାଗେ ଆଦୌ ସେ ଚାଲେନା — 

ସ୍ଥଳଜଳବ୍ୟୋମଚରୀ ପକ୍ଷୀଟିଏ ପରି 

ନାଚନାଚ ପହଁରେ ବା ଉଡ଼େ ସବୁବେଳେ 

କେବେ କେବେ ଅଚାନକ୍

ଭୂଇଁକୁ ତା' ପାଦ ଯଦି ସ୍ନେହଲାତ ମାରେ 

ସାରା ପୃଥିବୀ ସାରା ନିସର୍ଗ କମ୍ପେ ପୁଲକରେ 

ପୂର୍ଣ ଉଲ୍ଲାସର ଏକ ମହାନର୍ତନରେ

ଆଂଗୁଠି ତାର ଛୁଇଁ ହୋଇଗଲେ 

ମାଟିରେ ମଂଜିରେ ଅବା ପବନରେ 

ନିମିଷକେ ପଲ୍ଲବନ ପୁଷ୍ପାୟନ ଫଳାୟନ ହୁଏ 

ମହକିଯାଏ ସସାଗରା ଧରା ଆଉ ବ୍ୟୋମ

ସବୁ ରଂଗ ବି ବିସ୍ତାରେ ଅଗଣ୍ୟ ଜ୍ୟୋତିରେ

ଠାକୁରଘରେ ହିଁ ତାର ନିତି କଥାବାର୍ତା ହୁଏ

ମୋତେ-ଅଜଣା କେହି ଜଣେ ଈଶ୍ବର ସହିତ

ଦେବୀମାନଂକ କଥିତ ଭାଷାରେ

ଯାହା ମୋର ବୋଧର ବାହାରେ 

ସେ ମୋର କେତେ ପାଖରେ ?

ସର୍ବଦା ଦୂରରେ — 

କେବେ ୧୨୩.୮ ତ କେବେ କେବେ ୩୪୧.୬ 

କିଲୋମିଟର୍ ଦୂରରେ

ମୋତେ କିଂତୁ ଲାଗେ ତାର ମୂଳସ୍ଥାନ 

ପୃଥିବୀଠୁ 

୪୩୩ ଆଲୋକବର୍ଷ ଦୂରରେ 

.

[] ୨ []

ଡାଇନିଂଗ୍ ରୁମ୍ ଆଡୁ ଏକ ବାକ୍ୟ ଆସି ମୋତେ 

ନିଦରୁ ଉଠାଇଦେଲା :

"କ'ଣ କହିଲ, ମୁଁ ତମଠୁ ଆଉ ତମ ପୃଥିବୀଠୁ 

୪୩୩ ଆଲୋକବର୍ଷ ଦୂରରେ ?"

ପୂରା ଚେତି ମୁଁ ଶୁଣିଲି ସେ ଡାକରା ଏମିତି ହିଁ ଥିଲା :

"ଦିପହର ହେଲା, କେତେ ଶୋଇଛ ହୋ ?

ଉଠ ବେଗି, ମୁହଁ ହାତ ଧୁଅ, କେତେ ଉଠଉଛି, 

ଲଂଚ୍ ବଢା ହେଲାଣି କେତେବେଳୁ ପରା !"

ମୃଦୁ ହସି ଠିଆ ହୋଇଛି ସେଇ ନାରୀ 

କେଶ ଅସଜଡା

କାନି ଭିଡା ହୋଇଛି ଅଂଟାରେ 

ବୁନ୍ଦା ବୁନ୍ଦା ଝାଳ କପାଳରେ ...

ମୁଁ ଦେଖିଲି ବଢା ହୋଇଛି ଥାଳି ଗିନାରେ :

ଦହି ପଖାଳ

କଷିଆମ୍ବ, ଆମ୍ବଅଦାର ଟୁକୁଡା

ବାଇଗଣ ଭର୍ତା

ଆଳୁ ଭର୍ତା

ଚିଙ୍ଗୁଡି ଛେଚା

ଆଳୁ ପୋଟଳ ଭଜା

ଗୋଟା ବାଇଗଣ ଛଣା

ଆମ୍ବ ଛେଚା

ବଡି-ଚିଙ୍ଗୁଡି ଚୂରା

ଶାଗ

କଲରା ପୋଡା

ଚିଙ୍ଗୁଡି ପତ୍ରପୋଡା

ଛତୁ ପତ୍ରପୋଡା....

ସ୍ୱର୍ଗ

ଠାଆରେ ବସିଲା ବେଳେ 

ତାକୁ ପ୍ରଣିପାତ କରି ମୁଁ କହିଲି

ସେ ନ ଶୁଣିବା ସ୍ବରରେ :

ଏଇ ତ ସେ —

ଏଇ ତ 'ସା' —

ସ୍ବପ୍ନମାନସୀ ୟା'ରି ଭିତରେ 

ମୋ ନିଜଠୁ ବେଶୀ ନିକଟରେ ...

ଯା ଦେବୀ ସର୍ବଭୂତେଷୁ କାନ୍ତା-ରୂପେଣ ସଂସ୍ଥିତା

ନମସ୍ତତ୍ସୈ ନମସ୍ତତ୍ସୈ ନମସ୍ତତ୍ସୈ ନମୋନମଃ ।।


Leave a comment