ବାଂଧ କଳା ଓ ସମ୍ବଲପୁରୀ ହସ୍ତତନ୍ତର କଥା

ଓଡିଶାର ଅନନ୍ୟ ଶିଳ୍ପ ଓ କଳା ପରମ୍ପରାରେ ହସ୍ତତନ୍ତ ର ପ୍ରମୁଖ ଭୂମିକା ରହିଛି । ସୂତା ଓ ସିଲକ୍ ରେ ପ୍ରସ୍ତୁତ ହସ୍ତତନ୍ତର ବହୁ ଡିଜାଇନ୍ ପୃଥବୀ ସାରା ଓଡିଶାର ପରିଚୟକୁ ମହିମାମଣ୍ଡିତ କରିଛି । ଶହ ଶହ ବର୍ଷ ଧରି ଓଡିଶାର ହାତ ବୁଣା ଲୁଗା ଦେଶ ବିଦେଶରେ ଆଦର ଲାଭ କରିଛି ।
ଫଟୋ-ସମ୍ବଲପୁରୀ ବସ୍ତ୍ରାଳୟ, ସୋନପୁର

ସମ୍ବଲପୁର୍, ସୋନପୁର୍, ବୌଦ୍ଧ, ତିଗିରିଆ ଇତ୍ୟାଦି ସ୍ଥାନରେ ବୁଣା ଯାଉଥିବା ହସ୍ତତନ୍ତ ଲୁଗା ର ନିଜସ୍ବ ଶୈଳୀ ଓ ସ୍ଵାତନ୍ତ୍ର୍ୟ ରହିଛି ।  ତେବେ ସୋନପୁର୍, ବରଗଡ ଓ ବୌଦ ଜିଲ୍ଲା ର ବୁଣାକାର ମାନେ ଏକ ସ୍ବତନ୍ତ୍ର ଶୈଳୀ ରେ ବୁଣୁଥିବା ବାଂଧ ଲୁଗାର କଳାତ୍ମକତା, କାରିଗରୀ ଓ ସୌନ୍ଦର୍ୟ ସବୁଠୁ ଅଲଗା ।  ଏହି ବିରଳ ବାଂଧ କଳା ସମ୍ପର୍କରେ ଆସନ୍ତୁ କଥା ହେବା -


ବାଂଧ ଶବ୍ଦର ମୂଳ ଅର୍ଥ ହେଉଛି ବାନ୍ଧିବା ।  ଏସିଆ ମହାଦେଶର ବିଭିନ୍ନ ପ୍ରାନ୍ତରେ ଏହି ବୟନ କୌଶଳ କୁ ଟାଏ ଆଣ୍ଡ୍ ଡାଏ ବୋଲି କୁହାଯାଇଥାଏ ।  ଇଣ୍ଡୋନେସିଆ ରେ ଏହାକୁ ଇକକତ୍ ବୋଲି ମଧ୍ୟ କୁହାଯାଏ ।  ଭାରତର ଓଡିଶା ସମେତ ଗୁଜରାଟ୍, ଛତିଶଗଡ, ଆନ୍ଧ୍ର ଓ ତାମିଲନାଡୁ ଇତ୍ୟାଦି ରାଜ୍ୟର ବୁଣାକାର ମାନେ ଏହି କଳା କୌଶଳ ଅବଲମ୍ବନ କରିଥାନ୍ତି ।


ବାଂଧ କଳା ରେ ବସ୍ତ୍ର ବୟନ ର ବହୁ ପୁର୍ବରୁ ସୂତା ରେ ଗଣ୍ଠି ପକେଇ ଆବଶ୍ୟକୀୟ ଡିଜାଇନ୍ ପ୍ରସ୍ତୁତ କରାଯାଇଥାଏ ।  ଅନ୍ୟ ବୟନ କଳାରେ ତନ୍ତ ଉପରେ କିମ୍ବା ବସ୍ତ୍ର ପ୍ରସ୍ତୁତି ପରେ ଡିଜାଇନ୍ କରାଯାଇଥାଏ ।  ପ୍ରିଣ୍ଟ୍, କଢେଇ କିମ୍ବା ବୁଣେଇ କୌଶଳ ଠାରୁ ବାଂଧ କଳା ନିତାନ୍ତ ଅଲଗା ।  ଏଥିରେ ସୁତାର ଗଣ୍ଠି  ଓ ଖୋଲା ଅଂଶ ଭିତରେ ସମନ୍ବୟ ରଖି ରଂଗ ରେ ସୁତା କୁ ବୁଡା ଯାଏ  । ବାନ୍ଧିବା (tye) ଓ ରଂଗ କରିବା (dye) ର ଏହି ସୁକ୍ଷ୍ମ କଳା କୌଶଳ ଓଡିଶାର ବୁଣାକାର ମାନଙ୍କ ହାତରେ ବିକଶିତ ହୋଇଛି। 


ପୁରୁଷାନୁକ୍ରମେ  ପଶ୍ଚିମ ଓଡିଶାର କେତେକ ବୁଣାକାର ଜାତି ଏହି କଳା କୌଶଳକୁ ବଂଚାଇ ରଖିଛନ୍ତି ।  ପୁରା ପରିବାର  ବାଂଧ ନିର୍ମାଣ, ରଙ୍ଗ ତିଆରି, ରଙ୍ଗ ପ୍ରୟୋଗ, ବନ୍ଧ ଖୋଲା ଓ ବୁଣା କାମରେ ନିୟୋଜିତ ରୁହନ୍ତି ।  ପାରମ୍ପାରିକ ଡିଜାଇନ୍ ଯଥା – ମାଛ, ଗଛ, ଲତା, ପତ୍ର, ଲକ୍ଷ୍ମୀ ପାଦ, ଝୋଟି, ହଂସ, କୁମ୍ଭ, ଗଜ, ସିଂହ, ମୟୂର, ପଦ୍ମ, ତ୍ରିଭୁଜ, ଚୌକ ଇତ୍ୟାଦି ର ଚିତ୍ର କୁ ସୁତାର ଗଣ୍ଠି ରେ ଆଙ୍କିବାକୁ ପଡେ ।  ଏହା ହିଁ ବାଂଧ କଳାର ସବୁଠୁ ବଡ ଆକର୍ଷଣ ।  


ଅନେକ ସମୟରେ ପ୍ରାକୃତିକ ପଦାର୍ଥ ଯଥା ଗଛର ଛେଲି, ପତ୍ର, ପଥର, ଅଙ୍ଗାର, ହରିତାଳ, ଗୁଗୁଳ ଇତ୍ୟାଦି ର ମିଶ୍ରଣରେ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରାଯାଇଥାଏ ।  ତେବେ ବର୍ତ୍ତମାନ ସମୟରେ ରାସାୟନିକ ରଙ୍ଗର ପ୍ରୟୋଗ ମଧ୍ୟ କରାଯାଉଛି ।  ରଙ୍ଗ ଓ ବନ୍ଧର ଭାଗମାପ ତଥା ଏକ ଅମୂର୍ତ୍ତ କାନଭାସ୍ (abstract space) ରେ ଚିତ୍ର ନିର୍ମାଣ କରିବାର ଜଟିଳ ଓ ସୂକ୍ଷ୍ମ କାର୍ୟଟି ବାଂଧ ଶିଳ୍ପୀ କରିଥାଏ ।   


ଐତିହାସିକ ଦୃଷ୍ଟିରୁ ଓଡିଶାରେ ବାଂଧ କଳାର ଉତ୍ପତ୍ତି ସମ୍ପର୍କରେ କୌଣସି ତଥ୍ୟ ମିଳେ ନାହିଁ ।  ଶହ ଶହ ବର୍ଷ ଧରି କୌଳିକ ବୃତ୍ତି ଭାବରେ ଓ ବଂଶାନୁକ୍ରମିକ କଳା ଭାବରେ ଏହାକୁ ବୁଣାକାର ମାନେ ଗତିଶୀଳ କରିଚାଲିଛନ୍ତି ।  ପୁରୁଣା ରେକର୍ଡ଼ ଅନୁଯାୟୀ ବିଦେଶରେ ବାଂଧ ଶାଢୀ ର ପ୍ରଦର୍ଶନୀ  ୧୬୬ ବର୍ଷ ଆଗରୁ ଅନୁଷ୍ଠିତ ହୋଇଥିଲା ।  ୧୮୫୦ ମସିହାରେ ଲଣ୍ଡନ ସ୍ଥିତ ଭିକଟୋରିଆ - ଆଲବର୍ଟ୍ ସଂଗ୍ରହାଳୟ ରେ ସମ୍ବଲପୁରୀ ବାଂଧ ଶାଢୀ ର ପ୍ରଦର୍ଶନୀ ହୋଇଥିଲା ।  ଏହି ସଂଗ୍ରହାଳୟ ସମେତ ପ୍ୟାରିସ୍ ରେ ମଧ୍ୟ ଏହି ସମୟ ରେ ସମ୍ବଲପୁରୀ ବାଂଧ ଶାଢୀ ପ୍ରଦର୍ଶନ କରାଯାଇଥିଲା । 


ଅଶୀ ଦଶକରେ ଓଡିଶାର ହସ୍ତତନ୍ତ ଓ ବାଂଧ ଶାଢୀ କୁ ଜାତୀୟ ସ୍ତରରେ ପହଞ୍ଚାଇବାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ  ଭୂମିକା  ଅବିସ୍ମରଣୀୟ । ସେ ଥିଲେ ସେ ସମୟରେ  ବାଂଧ ଶାଢିର ଏକପ୍ରକାର ବ୍ରାଣ୍ଡ୍  ଆମ୍ବାସାଡର। 


ସ୍ବାଧିନତା ପରେ ଏହି କଳା ର ବିକାଶ ଲାଗି ସମବାୟ ସମିତି ଜରିଆରେ ସରକାରୀ ପ୍ରୋତ୍ସାହନ ଦିଆଗଲା ।  ତେବେ ଏହି ସୂକ୍ଷ୍ମ ଓ ଅନନ୍ୟ କଳାର ବଜାର ସୃଷ୍ଟି କରିବାରେ ଏଯାବତ୍ କୌଣସି ଠୋସ୍ ଉଦ୍ୟମ କରାଯାଇନାହିଁ ।  ବାଂଧ ର ପାରମ୍ପାରିକ ଡିଜାଇନ୍ ସବୁ ଆସ୍ତେ ଆସ୍ତେ ଲିଭିଯିବାକୁ ବସିଲାଣି ।  ଏହାର ସଂରକ୍ଷଣ ପାଇଁ କୌଣସି ସରକାରୀ ଯୋଜନା ନାହିଁ ।  


ବାଂଧ କଳାର ବିକାଶ ଓ ବଜାର ସୃଷ୍ଟି କ୍ଷେତ୍ରରେ ବରପାଲି, ବରଗଡ ଓ ସୋନପୁରର କେତେଜଣ ସୃଜନଶୀଳ ଶିଳ୍ପୀ ନିଜର ପ୍ରଚୁର ଅବଦାନ ଦେଇ ଯାଇଛନ୍ତି ।  ଷାଠିଏ ଓ ସତୁରୀ ଦଶକରେ କୃତାର୍ଥ ଆଚାର୍ୟ ସମ୍ବଲପୁରୀ ବାଂଧ କଳାର ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥିଲେ।  ତାଂକ ସହିତ ହସ୍ତତନ୍ତ  ଡିଜାଇନ୍ ପ୍ରସ୍ତୁତି କ୍ଷେତ୍ରରେ ଯଦୁନାଥ ସୂପକାର୍ ଅନେକ ଅଭିନବ ପ୍ରୟୋଗ କରିଥିଲେ ।  ଉଭୟ ଶ୍ରୀ ଆଚାର୍ୟ ଓ ଶ୍ରୀ ସୂପକାରଂକୁ ପଦ୍ମଶ୍ରୀ ସମ୍ମାନ ରେ ସମ୍ମାନିତ କରାଯାଇଥିଲା ।


ପରବର୍ତୀ ସମୟରେ ବୁଣାକାର ଶିଳ୍ପୀ ଭାବରେ ମୋହନ ମେହେର, ପଦ୍ମଶ୍ରୀ କୁଂଜବିହାରୀ ମେହେର, ପଦ୍ମଶ୍ରୀ ଚତୁର୍ଭୁଜ ମେହେର, ପଦ୍ମଶ୍ରୀ କୈଳାସ ମେହେର ପ୍ରମୁଖ ବାଂଧ କଳାରେ ଅନେକ ନୂତନ ପ୍ରୟୋଗ ମାନ କରିଛନ୍ତି ।  ସୋନପୁରର ପ୍ରଖ୍ୟାତ ବାଂଧ  ଶିଳ୍ପୀ ସ୍ବର୍ଗତ ମୋହନ ମେହେର ସଂଗୀତ, ସାହିତ୍ୟ ଓ ବାଂଧ କଳାର ଅପୂର୍ବ ସମନ୍ବୟ ସୃଷ୍ଟି କରି ବହୁ ନୂତନ ବାଂଧ ତିଆରି କରି ଯାଇଛନ୍ତି ।  ଚତୁର୍ଭୁଜ ମେହେର ଜଣେ ଅପୂର୍ବ କୁଶଳୀ ବୁଣାକାର ଓ ବାଂଧ ର ବଜାର କୁ ସମ୍ପ୍ରସାରିତ କରିବାରେ ଜଣେ ଅଗ୍ରଣୀ ସାରଥୀ । 


ଓଡିଶାରେ ପ୍ରାୟ ଅଢେଇ ଲକ୍ଷ ବୁଣାକାର ରହିଛନ୍ତି ଓ ସେମାନଙ୍କ ଭିତରୁ ଅଳ୍ପ କେତେଜଣ ବାଂଧ କଳା ଲାଗି ଉତ୍ସାହୀ ।  ବାଂଧ ଲାଗି ପ୍ରଚୁର ପରିଶ୍ରମ ଓ ସମୟ ବିନିଯୋଗ କରିବାକୁ ପଡୁଥିବାବେଳେ ଏହାର ବଜାର ମୂଲ୍ୟ ସେତେ ବେଶୀ ନୁହଁ ।  ତେଣୁ ଅଧିକରୁ ଅଧିକ ବୁଣାକାର ସିଲକ୍ ଓ ବମକାଇ କାମରେ ମନ ଦେଉଛନ୍ତି ।  ପୁରୁଣା କାରିଗରୀ ର ଶକଟାପର ଏବେ ଆଉ ଦେଖିବାକୁ ମିଳୁନାହିଁ ।  ସେହିପରି ଦୋ ମୁହିଁ (ଦୁଇ ଆନଚଲ୍ ଥିବା ଶାଢୀ) ମଧ୍ୟ ଏବେ ପ୍ରାୟ ବିରଳ ।


Leave a comment