ନାସିରା ଶର୍ମାଙ୍କ ଦୁଇଟି ଗପ

ସୁଲେମାନ ସୁରାପାତ୍ରଟିକୁ ବିଲକିସ୍ ହାତରୁ ନେଇ ସେଥିରେ ପୁରା ଉପର ପର୍ଯ୍ୟନ୍ତ ମଦିରାରେ ଭରିଦେଲେ ଏବଂ ବିଲକିସ୍ ଆଡକୁ ବଢାଇ ଦେଲେ । ବିଲକିସ୍ ସେତେବେଳେ ଓଠରେ ଛୁଆଁଇ ପ୍ରଥମ ଢୋକ ନେବାକୁ ପ୍ରସ୍ତୁତ ହେଉଥିଲେ, ଏତିକିବେଳେ ହଠାତ ସେ ସୁରାପାତ୍ରରୁ ଏକ ସ୍ଵର ଶୁଭିଲା, - ‘ଶୁଣ ବିଲକିସ୍, ମୁଁ ମଧ୍ୟ ଦିନେ ତୁମରି ପରି ନିଜ ସୁଲେମାନଙ୍କ ନିକଟତର ଥିଲି ।‘
ହିନ୍ଦୀ ଭାଷାର ପ୍ରଖ୍ୟାତ କଥାଶିଳ୍ପୀ ନାସିରା ଶର୍ମା

(୧୯୪୮ ମସିହାରେ ଆହ୍ଲାବାଦରେ ଜନ୍ମିତା ନାସିରା ଶର୍ମା ଆଧୁନିକ ହିନ୍ଦୀ ସାହିତ୍ୟର ଏକ ଜଣାଶୁଣା ନାମ। ଇରାନୀ ସଂସ୍କୃତି ତଥା ଖୁରାସାନୀ ଲୋକକଥା ଉପରେ ଆଧାରିତ ଏହି କାହାଣୀ ଦୁଇଟି ଲେଖିକାଙ୍କର ଅନୁବାଦ ଫରାସୀ ଲୋକକଥା ସଙ୍କଳନ “କିସ୍ସାଜାମ୍କା“ରୁ ନିଆଯାଇଛି । ଲେଖିକା ନାସିରା ଶର୍ମା ନିଜର ଉପନ୍ୟାସ "ପାରିଜାତ" ପାଇଁ ୨୦୧୬ ମସିହାରେ କେନ୍ଦ୍ରୀୟ ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ ।)

ଗାଥା ସୁରାପାତ୍ରର

ସୁଲେମାନର ପାଖରେ ବସିଥିବାବେଳେ କହିଲା ବିଲକିସ୍ - "ସୁଲେମାନ୍, ଯଦି ତୁମେ ମୋ ଯାଏଁ ପହଞ୍ଚିବାକୁ ଚାହୁଁଛ, ତେବେ ମୋ ପାଇଁ ଗୋଟିଏ ସୁରାପାତ୍ର ଗଢେଇ ଦିଅ ଯୋଉଟା କି ମାଟିରେ ତିଆରି ହୋଇଥିବ। ହେଲେ, ସେଇଟା ଯେମିତି କୌଣସି ମଣିଷର ମାଟିରେ ତିଆରି ହୋଇ ନଥିବ ।"

ସୁଲେମାନ ନିଜ ପ୍ରେୟସୀ ଆଡକୁ ଟିକେ ଚାହିଁଲେ, ତା ବିଚିତ୍ର ଇଚ୍ଛା ବି ଶୁଣିଲେ .. ଆଉ ତା ପାଖରୁ ଉଠି ଦରବାରକୁ ଚାଲିଗଲେ ।

ମନ୍ତ୍ରୀମାନଙ୍କ ଗହଣରେ ବସି ସୁଲେମାନ ବିଲକିସର ଇଚ୍ଛାକୁ ସବୁଦିଗରୁ ରୂପ ଦେବାକୁ ଚାହୁଁଥିଲେ । ମୁଖ୍ୟମନ୍ତ୍ରୀ ସୁଲେମାନଙ୍କ ମନର ଅବସ୍ଥାକୁ ଏବଂ ତାଙ୍କ ପାଇଁ କିଛି କରିବାକୁ ଚାହୁଁଥିଲେ ।

ପୁରା ମନ୍ତ୍ରିମଣ୍ଡଳ ଏପରି ମାଟି ଖୋଜିବାରେ ଲାଗି ପଡିଲେ, ଯାହା ମନୁଷ୍ୟର ହୋଇନଥିବ। ଚାଲିଚାଲି ସେମାନେ କୁହେକାଫ୍ପା ହାଡର ଆରପାଖେ ଓହ୍ଲେଇଲେ ଏବଂ ଏକ ସ୍ଥାନକୁ ଉପଯୁକ୍ତ ମନେକରି ଖୋଳିବାକୁ ଲାଗିଲେ। ଖୋଳି ଚାଲିଲେ… ଖୋଳି ଚାଲିଲେ.ଏମିତିକି ପୃଥିବୀ ବକ୍ଷର ସାତ ପରସ୍ତ ଯାଏଁ ଖୋଳିଦେଲେ। ଅଷ୍ଟମ ପରସ୍ତର ମାଟି ଏକଦମ ଅଲଗା ରଙ୍ଗର ଥିଲା । ମନୁଷ୍ୟର ରକ୍ତ ପରି। ସମସ୍ତେ ନିଶ୍ଚିତ ହୋଇଗଲେ ଯେ ଏହା ହେଉଛି ସେହିମାଟି, ଯେମିତି ସୁଲେମାନଙ୍କର ଦରକାର ।

ସୁଲେମାନ ମାଟି ଦେଖି ପ୍ରସନ୍ନ ହୋଇଗଲେ ଏବଂ ସେହି ମାଟିରୁ ଏକ ଏମିତି ସୁରାପାତ୍ର ପ୍ରସ୍ତୁତ କରିବାକୁ ତୁରନ୍ତ ନିର୍ଦ୍ଦେଶ ଦେଲେ, ଯେମିତି ପାତ୍ର ଭବିଷ୍ୟତରେ ଆଉ କେବେ ବି ତିଆରି ହୋଇପାରିବନି ।

କୁମ୍ଭାରମାନଙ୍କର ଏକ ଦଳ ବସିଗଲେ । ସ୍ଵେଦ-ରକ୍ତର ଅବଦାନରେ ପ୍ରସ୍ତୁତ ହୋଇଥିବା ସେ ସୁରାପାତ୍ରର ସୌନ୍ଦର୍ଯ୍ୟ ଅପୂର୍ବ ଥିଲା । ବାହାର ପାଖ ଧାରଠୁଁ ନେଇ ଭିତର ତଳ ଯାଏଁ ଏମିତି ଅନ୍ଧକାର…ଯେମିତିକି ଝୁଲଣା ଯାଏଁ । ମନୁଷ୍ୟର ଜୀବନ, ଆଉ ବାହାର ପାଖ ସାତରଙ୍ଗର ଫୁଲ ଓ ପତ୍ରରେ ସୁସଜ୍ଜିତ । ସୁଲେମାନ ସେ ସୁରାପାତ୍ରଟିରେ କେବଳ ସୌନ୍ଦର୍ଯ୍ୟ ହିଁ ଦେଖୁ ନଥିଲେ ବରଂ ନିଜ ଇଚ୍ଛା ପୂରଣ ହେବା ମଧ୍ୟ ଦେଖି ପାରୁଥିଲେ ।

ପିଆଲାଟିକୁ ଧରି ସେ ବିଲକିସ ପାଖରେ ପହଞ୍ଚିଲେ ଓ କହିଲେ - ‘ବିଲକିସ୍, ଦେଖ ଏ ସୁରାପାତ୍ର!’

- ‘ଆହାଃ ! ଠିକ ସେମିତି, ଯେମିତି ମୁଁ ଚାହୁଁଥିଲି’ ସୁରାପାତ୍ରଟିକୁ ଚାରିପଟେ ବୁଲେଇ ଦେଖୁଦେଖୁ ବିଲକିସ କହିଲା ।

ସୁଲେମାନ ସୁରାପାତ୍ରଟିକୁ ବିଲକିସ ହାତରୁ ନେଇ ସେଥିରେ ପୁରା ଉପର ପର୍ଯ୍ୟନ୍ତ ମଦିରାରେ ଭରିଦେଲେ ଏବଂ ବିଲକିସ୍ ଆଡକୁ ବଢାଇଦେଲେ । ବିଲକିସ ସେତେବେଳେ ଓଠରେ ଛୁଆଁଇ ପ୍ରଥମ ଢୋକ ନେବାକୁ ପ୍ରସ୍ତୁତ ହେଉଥିଲେ, ଏତିକିବେଳେ ହଠାତ ସେ ସୁରାପାତ୍ରରୁ ଏକ ସ୍ଵର ଶୁଭିଲା, - ‘ଶୁଣ ବିଲକିସ୍, ମୁଁ ମଧ୍ୟ ଦିନେ ତୁମରି ପରି ନିଜ ସୁଲେମାନଙ୍କ ନିକଟତର ଥିଲି ।‘

ବିଲକିସ୍ ଏହା ଶୁଣି ମୂର୍ଚ୍ଛିତା ହୋଇଗଲା ।

ଗପ ଏକ ବେଲଫଳର

ଏକଦା ଯେବେ ସାରାଦୁନିଆ ଭୟଙ୍କର ତୋଫାନରେ ପାଣିରେ ଉବୁଟୁବୁ ହେଉଥିଲା, ସେତେବେଳେ ନୋହ୍ ଏକ ଡଙ୍ଗା ତିଆରି କଲା ଏବଂ ସେଥିରେ ସଂସାରର ସବୁ ଜଣାଶୁଣା ଦରକାରୀ ଜିନିଷପତ୍ରର ଏକ ଗଣ୍ଠିଲି ରଖି ନିଜର ଦୁଇ ପୁତ୍ର ଓ ପତ୍ନୀ ସହ ସେଥିରେ ବସିଗଲା ।

ଯେଉଁଦିନ ତୋଫାନ କମିଗଲା ଏବଂ ଡଙ୍ଗା କୂଳରେ ଲାଗିଲା, ସୈତାନ ମଣିଷ ରୂପରେ ନୋହ ପାଖକୁ ଆସିଲା ଏବଂ କହିଲା, - ‘ଯାହା ବି ଜିନିଷ ଥିଲା ସବୁ ଆଣିଲ, କିନ୍ତୁ ଗୋଟିଏ ଆଣିବା ଭୁଲିଗଲ ।‘

- ‘କଣ ସେ ଜିନିଷ ଯାହା ମୁଁ ଆଣିବା ଭୁଲିଗଲି ?’ ନୋହ ଆଶ୍ଚର୍ଯ୍ୟ ହୋଇ ପଚାରିଲା ।

ସୈତାନ ତାକୁ ଏକ ବେଲ ଦେଖାଇ କହିଲା - ‘ଏଇ ହେଲା ସେଇ ଜିନିଷ, ଯାହା ତୁମେ ଆଣିବାକୁ ଭୁଲି ଯାଇଛ ।‘

- ‘ହଁ, ଏଇଟା ମୁଁ ଭୁଲି ଯାଇଥିଲି ।‘ ଏହା କହି ନୋହ ଫଳଟିକୁ ସୈତାନଠାରୁ ନେବାକୁ ଚାହିଁଲା ।

ସୈତାନ କହିଲା - ‘କେବଳ ଗୋଟିଏ ସର୍ତ୍ତରେ ଦେବି ଯେ, ଫଳ ହେବା ଯାଏଁ ମୁଁ ହିଁ ଏହାର ଯତ୍ନ ନେବି ।‘

ଶେଷରେ ଏଇ ନିଷ୍ପତ୍ତି ନିଆଗଲା ଯେ, ଦୁଇ ଜଣ ପାଳି କରି ପନ୍ଦର ପନ୍ଦର ଦିନ ପାଇଁ ତାହାର ଦେଖାଶୁଣା କରିବେ, ଯେ ପର୍ଯ୍ୟନ୍ତ ତାହାର ଫଳ ନ ଆସିଛି । ଦୁଇଜଣ ମିଶି ବେଲଟିକୁ ପୋତି ଦେଲେ ।

ପାଞ୍ଚଦିନ ପରେ ସୈତାନ୍ ଏକ ମୟୂର ନେଇ ଆସିଲା । ତାର ବେକ କାଟି ସେ ରକ୍ତକୁ ବେଲରେ ସିଞ୍ଚିଦେଲା ଓ ଚାଲିଗଲା । ପୁଣି ଦ୍ୱିତୀୟ ଥର ଦଶଦିନ ପରେ ଯେତେବେଳେ ସେ ଆସିଲା, ତା ସହ ଏକ ସିଂହ ଥିଲା ସେ ତା ମୁଣ୍ଡକାଟି ସେଥିରେ ତା ରକ୍ତ ସିଞ୍ଚି ପୁଣି ଲେଉଟିଗଲା । ତୃତୀୟ ଥର ଯେବେ ସେ ପନ୍ଦରଦିନରେ ଆସିଲା, ନିଜ ସହ ଏକ ଘୁଷୁରୀ ଆଣିଥିଲା ଓ ପୂର୍ବ ଦୁଇଥର ପରି ତାର ଗଳା କାଟି ସିଞ୍ଚିଦେଲା ଓ ଚାଲିଗଲା ।

ସୈତାନର ଏହି ହରକତରେ ନୋହ ଆଶ୍ଚର୍ଯ୍ୟାନ୍ଵିତ ଥିଲା । ଯେତେବେଳେ ତା ପାଳି ଆସିଲା, ସେ ସୈତାନକୁ ପଚାରିଲା - ‘ଏହି ତିନି ପ୍ରକାର ହତ୍ୟାରେ ତୁମର କଣ ଉଦ୍ଦେଶ୍ୟ ଥିଲା ?’

ସୈତାନ୍ ଉତ୍ତର ଦେଲା - ‘ଯେଉଁ ଫଳ ଆମେ ଲଗେଇଥିଲେ, ତାହା ଏତେ ଲାଭଦାୟକ ନଥିଲା ଯେ, ମନୁଷ୍ୟ ସେଥିରୁ ଅଧିକରୁ ଅଧିକ ଲାଭ ଉଠେଇ ପାରିଥାନ୍ତା  । ବର୍ତ୍ତମାନ ଏହାର ଫଳରୁ ସେ ଏମିତି ରସ ବାହାର କରିବ, ଯାହାକୁ ପିଇ ସେ ତିନିଦିଗରୁ ଆନନ୍ଦିତ ହେବ । ଏହି ଆନନ୍ଦର ତିନୋଟି ଅବସ୍ଥା ହେବ। ପ୍ରଥମ ହେଉଛି ଯେ, ଯିଏ ଏହାକୁ ପିଇବ, ନିଜକୁ ମୟୂର ବୋଲି ଭାବିବ ଓ ତା ପରି ମଗ୍ନ ହୋଇ ନାଚିବ । ଯିଏ ଏହାକୁ ତା’ ଠାରୁ ବେଶୀ ପିଇବ, ସେ ସିଂହ ପରି ଗର୍ଜନ କରିବ ଏବଂ ଜଙ୍ଗଲୀଙ୍କ ପରି ଅବସ୍ଥାକୁ ଚାଲି ଆସିବ । ତୃତୀୟଟି ହେଉଛି, ଯିଏ ଏହାଠାରୁ ବି ଅଧିକ ପିଇବ, ସେ ଘୁଷୁରୀ ପରି ଅବସ୍ଥାରେ ରହିବ ଓ କିଛି ବି ବୁଝି ପାରିବନି/ସେ ନିଜର ବୁଦ୍ଧିବୃତ୍ତି ହରେଇବସିବ ।‘

Leave a comment