ଆମର ଗପ ବିଷୟରେ କିଛି ଛୋଟ ଛୋଟ କଥା

ଗପ ହେଉଛି ସେଇଟା ଯାହା କେବେ ସରେ ନାହିଁ । ଭାରତୀୟ ଜୀବନରେ ଗପର ଅବଧାରଣାଟିଏ ଏମିତି । ଗପ ହୁଏତ ଆରମ୍ଭ ହୋଇପାରେ । ହେଲେ ଏହାର ସମାପ୍ତି ବା ପରିଣତି ନାହିଁ । ଗପଟି ଯୋଉଠି ସରିଗଲା ପରି ଲାଗେ, ଠିକ୍ ସେଇଠୁ ନୂଆ ଗପଟିଏ ଆରମ୍ଭ ହୁଏ । ପୁରୁଣା ଗପର ରକ୍ତରେ ନୂଆ ଗପର ମଞ୍ଜି ଜୀବନ୍ତ ହୋଇ ରହିଥାଏ ।

ଗପ ହେଉଛି ସେଇଟା ଯାହା କେବେ ସରେ ନାହିଁ । ଭାରତୀୟ ଜୀବନରେ ଗପର ଅବଧାରଣାଟିଏ ଏମିତି । ଗପ ହୁଏତ ଆରମ୍ଭ ହୋଇପାରେ । ହେଲେ ଏହାର ସମାପ୍ତି ବା ପରିଣତି ନାହିଁ । ଗପଟି ଯୋଉଠି ସରିଗଲା ପରି ଲାଗେ, ଠିକ୍ ସେଇଠୁ ନୂଆ ଗପଟିଏ ଆରମ୍ଭ ହୁଏ । ପୁରୁଣା ଗପର ରକ୍ତରେ ନୂଆ ଗପର ମଞ୍ଜି ଜୀବନ୍ତ ହୋଇ ରହିଥାଏ । ତେଣୁ ଆମର ଲୋକକଥାରେ ପରସ୍ପରକୁ ଚିହ୍ନିନଥିବା, ପରସ୍ପର ସହ ସମ୍ପୃକ୍ତ ନଥିବା ଘଟଣା ଓ ଚରିତ୍ରମାନେ ଗୋଟେ ଅସରନ୍ତି ଗପର ଶୃଙ୍ଖଳା ତିଆରି କରନ୍ତି । ଗପକୁ ନେଇ ଆମର କଳ୍ପନା ଅରଣ୍ୟ ପରି ଘଞ୍ଚ, ଅନ୍ଧକାରମୟ ଓ ବିଶୃଙ୍ଖଳିତ । ତେବେ ମୋଟାମୋଟି ଭାରତୀୟ ଗପର ଗଢଣଟି ରହସ୍ୟମୟ । ଆଉ ଏଇ ରହସ୍ୟ ବହୁତ୍ ସୁନ୍ଦର । ଆମର ଗପ ଏମିତି -

ଆସରେ ପିଲେ କହିବି କଥା, କି କଥା ?

ବେଙ୍ଗର କଥା । କି ବେଙ୍ଗ ? 

ବୁଢା ବେଙ୍ଗ।  କି ବୁଢା ?

ବ୍ରାହ୍ମଣ ବୁଢା । କି ବ୍ରାହ୍ମଣ ?

ସୁଦ୍ ବ୍ରାହ୍ମଣ । କି ସୁଦ୍ ? 

ପିଠା ଲୁଦ । କି ପିଠା ?

ତାଳ ଗଇଁଠା । କି ତାଳ ?

ସୋରିଷ ମାଳ । କି ସୋରିଷ ?

ବଣ ସୋରିଷ । କି ବଣ ?

କିଆ ବଣ । କି କିଆ ? 

ରଜା ବିହା । କି ରଜା ?

ଖଣ୍ଡ ଖଜା । କି ଖଣ୍ଡ…. 

ଗପ କହିବାର କୌଶଳଟି ଏତେ ଅଦ୍ଭୁତ ଆଉ ମନୋରମ ଯେ ସେଠି ତାର୍କିକତାର କୌଣସି ଭୂମିକା ନାହିଁ । ଗପ ନିଜକୁ ଆପେ ଆପେ ଗଢିବା ଲାଗି ଜୀବନର ତର୍କ ପ୍ରସ୍ତୁତ କରେ । ଆମ ଗପର ଗଢଣ ସେଇ ଆମୀବା ପରି ଯାହାକୁ ଖଣ୍ଡ ଖଣ୍ଡ କରି ଛିଣ୍ଡେଇ ଦେଲା ପରେ ବି ସେମାନେ ଏକତ୍ର ଆଉ ଏକ ଜୀବନ ପିଣ୍ଡର ନିର୍ମାଣ କରିପାରନ୍ତି । ହୁଏତ ’ବୁଢା ବେଙ୍ଗ’ ସହ ’ବୁଢା ବ୍ରାହ୍ମଣ’ର କିଛି ସମ୍ପର୍କ ନାହିଁ । ଏମାନେ ପରସ୍ପରଠୁ ଦୂରରେ ଦୁଇଟି ଅଲଗା ପ୍ରତୀକ ହୋଇପାରନ୍ତି । ଗପରେ ଏମାନେ ହାତ ଧରାଧରି ହୋଇ ନୂଆ ଜଗତଟିଏ ନିର୍ମାଣ କରିପାରନ୍ତି ।

ସେଥିଲାଗି ଆମ ଗପର ଜୀବନବୋଧଟି ଆଧୁନିକ ଗପର ସଜ୍ଞା ସହ ଖାପ ଖାଏ ନାହିଁ । ଭାରତୀୟ ଗପର ଜୀବନଶକ୍ତି ହେଉଛି ଆମର ସର୍ବଶକ୍ତିମାନ କଳ୍ପନା । ତେବେ ଏହି କଳ୍ପନାଶକ୍ତିକୁ ଗାଲୁଆମୀ, ଉଦ୍ଭଟତା କିମ୍ବା ଅନ୍ଧବିଶ୍ବାସ ବୋଲି ଭାବିଲେ ଚଳିବ ନାହିଁ । ଆମର ଜୀବନ ଓ କଳ୍ପନା, ଗୋଟିଏ ଭାବଭୂମିକୁ ଜନ୍ମ ନେଇଥା’ନ୍ତି । ଆମର ଗପ ଯେତିକି ବାସ୍ତବ, ସେତିକି କଳ୍ପନାପ୍ରବଣ । ‘କଥା ସରିତ୍ ସାଗର’ରେ ଗପ ନଦୀରୁ ସମୁଦ୍ର ଆଡକୁ ଯାଏ । ଆଖ୍ୟାନ, ପୁରାଣ ଓ ସାଧାରଣ ବର୍ଣ୍ଣନା ପରସ୍ପରକୁ ଗୋଟେ ଅଭିନବ ସୂତ୍ରରେ ମାଳ କରି ଗୁନ୍ଥି ଧରିଥା’ନ୍ତି । ’ପଞ୍ଚତନ୍ତ୍ର’ରେ ଗୋଟିଏ କାହାଣୀରୁ ଆଉ ଗୋଟେ କାହାଣୀ ଅନାୟାସରେ ଜନ୍ମ ନେଉଥାଏ । ସେଠି ସବୁ ଚରିତ୍ର ମଣିଷ ନୁହନ୍ତି । ସେମାନେ କିନ୍ତୁ ମଣିଷ ପରି । ଚତୁର ବିଲୁଆ ହେଉ କି ଧୂର୍ତ୍ତ ବିଲେଇ, ସଂଗୀତ ଶାସ୍ତ୍ରରେ ପ୍ରବୀଣ ମୂର୍ଖ ଗଧ ହେଉ ଅବା ସେ ଅହଂକାରୀ କଇଁଛ – ସବୁ ଚରିତ୍ର ମଣିଷ ପରି ମଣିଷକୁ ବାଟ ଦେଖାନ୍ତି । ସେମିତି ‘ଜାତକ କଥା’ – ବୋଧିସତ୍ତ୍ୱ ବୁଦ୍ଧ ହେବା ଆଗରୁ ବହୁ ରୂପ ଓ ଜୀବନବୋଧକୁ ସାକ୍ଷାତ କରନ୍ତି । ଚରମ ବୁଦ୍ଧତ୍ୱ ପାଇବା ଆଗରୁ ଜନ୍ମ ଜନ୍ମ ଧରି ଗୋଟେ ସାଧାରଣ ଜୀବ ଭାବରେ ତାଙ୍କର ଯାତ୍ରାକୁ ‘ଜାତକ’ କେତେ ବାଗରେ ବର୍ଣ୍ଣନା କରିଛି । ସେ ବର୍ଣ୍ଣନା କେବଳ ଘଟଣାର ସ୍ଥୂଳ ଚିତ୍ରାୟନ ନୁହେଁ, ଏଥିରେ ରହିଛି ଜୀବନର ସୂକ୍ଷ୍ମ ଅନୁବୀକ୍ଷଣ । ଜୀବନର ଲକ୍ଷ୍ୟ ଖୋଜୁ ଖୋଜୁ ମଣିଷକୁ ପେଚା, ହାତୀ, ମାଙ୍କଡ଼, ବାଘ, ଭାଲୁ କେତେ କ’ଣ ହେବାକୁ ପଡ଼େ । ଆଉ ମଜାର କଥା ହେଉଛି ସବୁ ମଣିଷେତର ଜୀବ ମଣିଷକୁ ’ମାନବିକତା’ର ପାଠ ପଢାନ୍ତି ।

ଆମକୁ ଭାରତୀୟ କାହାଣୀର କଳା ଓ କୌଶଳ ବିଷୟରେ ଖୁବ୍ ବେଶି ଜଣାନାହିଁ – ସେଇଟା ଭାରତୀୟ ଆଧୁନିକତାର ଦୁର୍ଭାଗ୍ୟ । ଆମେ ଜୀବନ ଓ ସୃଜନକୁ ଆଧୁନିକତା ମାଧ୍ୟମରେ ନୂଆକରି ଦେଖିବାର ସୁଯୋଗ ପାଇଲୁ । ତେବେ ଏହି ନୂଆପଣଟିଏ ଏତେ ନୂଆ ଯେ ସେଠି ହଜାର ହଜାର ବର୍ଷର ପୁରୁଣା ଚେରଟି ଅନାବଶ୍ୟକ ମନେ ହେଲା । ଆମେ ଗପରେ ଆଦର୍ଶ ବୋଲି କାଫକା, ଦସ୍ତୋଭସ୍କି କିମ୍ବା ହେମ୍ପିଂୱେଙ୍କୁ ଦେଖିଲୁ । ଦେଖିବାରେ ଅସୁବିଧା ନାହିଁ । ଏମାନେ ପୃଥିବୀର ଗଳ୍ପ ପରମ୍ପରାକୁ ନୂଆ ଦିଶା ଦେଇଛନ୍ତି । ହେଲେ ସେମାନଙ୍କ ସହିତ ଆମ ନିଜର ବିଷ୍ଣୁ ଶର୍ମା କିମ୍ବା ଅବେଲାକରା କାହାଣୀର ଆଦର୍ଶ ରହିବା ମଧ୍ୟ ଜରୁରୀ ଥିଲା । ଆମର ସମସ୍ୟା ହେଉଛି ପୁରୁଣା ଭାରତୀୟ ଗପକୁ କେବଳ ନୈତିକତାର ପାଠ ବୋଲି ଆମେ ଭାବିଲୁ । ତେଣୁ ସେଇ ସବୁ ଗପର ଆଧାରରେ ଯାହା ଲେଖାଗଲା, ସେଠି କେବଳ ପ୍ରବଚନ ଓ ଆପ୍ତବାକ୍ୟ ରହିଲା । ସମକାଳ ସହିତ ଓ ମଣିଷର ବାସ୍ତବତା ସହିତ ଏ ସବୁ ଗପ ନିଜକୁ କ୍ଵଚିତ ଜୋଖି ପାରିଲେ। ଫଳରେ କବିତା ପରି ଗପର ଗ୍ରାହକ ସଂଖ୍ୟା ଆମ ଭାଷାରେ କମିଗଲା । ଆଜି ମଧ୍ୟ ଗପରେ କଥକତାର ଚାହିଦା ଅଛି, ଏକଥା ଆମେ ବୁଝିବା ଉଚିତ ନୁହଁ କି ?

ଆମର କାହାଣୀ ନ ସରୁ ଓ ଫୁଲ ଗଛ ନ ମରୁ, ଆମର ଏତିକି ମାତ୍ର ଆଶା ।

Leave a comment