ଉତ୍ସ, ଦଶ ବର୍ଷ ବ୍ୟାପୀ ଏକ ଚିତ୍ର ଅନୁଷ୍ଠାନର ଯାତ୍ରା

ଉତ୍ସ ଫାଉଣ୍ଡେସନ୍ ଫର୍ କଣ୍ଟେମ୍ପରାରୀ ଆର୍ଟସ୍ ର ଦଶ ବର୍ଷ । ଏଇ ସମୟ ସ୍ରୋତ ଭିତରେ ୫୦୦ରୁ ଅଧିକ ଶିଳ୍ପୀଙ୍କ ସହ କାମ କରିଛି ଉତ୍ସ । ଶିଳ୍ପୀ ବୋଇଲେ କେବଳ ଚିତ୍ରକାର ନୁହେଁ; କଳା କ୍ଷେତ୍ରରେ ବିକଳ୍ପ ପ୍ରୟାସର କେନ୍ଦ୍ର ଭାବରେ ଉତ୍ସ ଏ ଭିତରେ ପ୍ରତିଷ୍ଠିତ କରିସାରିଛି ନିଜକୁ । ସାମିଲ୍ ହୋଇଛନ୍ତି କେତେ ନା କେତେ ଚିତ୍ରଶିଳ୍ପୀ, ଭାସ୍କର କାରିଗର, ଅଭିନେତା, ଲେଖକ ଏବଂ ଚଳଚ୍ଚିତ୍ର ନିର୍ମାତା ।
ଉତ୍ସ ର ଦଶବର୍ଷର ଅନୁଭକୁ ନେଇ ଆଲୋଚନା କରୁଛନ୍ତି ବିଶିଷ୍ଟ ଚିତ୍ରଶିଳ୍ପୀ ଜଗନ୍ନାଥ ପଣ୍ଡା ଓ କବି କେଦାର ମିଶ୍ର

ଏଇ କାଲି ପରି ଲାଗୁଛି ୧୦ ବର୍ଷର ସମୟ । ଉତ୍ସ ଫାଉଣ୍ଡେସନ୍ ଫର୍ କଣ୍ଟେମ୍ପରାରୀ ଆର୍ଟସ୍ ର ଦଶ ବର୍ଷ । ଏଇ ସମୟ ସ୍ରୋତ ଭିତରେ ୫୦୦ରୁ ଅଧିକ ଶିଳ୍ପୀଙ୍କ ସହ କାମ କରିଛି ଉତ୍ସ ।  ଶିଳ୍ପୀ ବୋଇଲେ କେବଳ ଚିତ୍ରକାର ନୁହେଁ; କଳା କ୍ଷେତ୍ରରେ ବିକଳ୍ପ ପ୍ରୟାସର କେନ୍ଦ୍ର ଭାବରେ ଉତ୍ସ ଏ ଭିତରେ ପ୍ରତିଷ୍ଠିତ କରିସାରିଛି ନିଜକୁ । ସାମିଲ୍ ହୋଇଛନ୍ତି କେତେ ନା କେତେ ଚିତ୍ରଶିଳ୍ପୀ, ଭାସ୍କର କାରିଗର, ଅଭିନେତା, ଲେଖକ ଏବଂ ଚଳଚ୍ଚିତ୍ର ନିର୍ମାତା । ସାମିଲ୍ ହୋଇଛି ଆର୍ଟ, କ୍ରାଫ୍ଟ, ଫିଲ୍ମ,  ଡ୍ରାମା ଆଦି କଳାର ସବୁ ବିଭାଗ । ସାମିଲ୍ ହୋଇଛି ପାରମ୍ପରିକ ଓ ଆଧୁନିକ ଶିଳ୍ପକଳା ।  ମିଶିଛନ୍ତି ୫୦ରୁ ଅଧିକ ଅନୁଷ୍ଠାନ । ହୋଇଛି ୧୦୦ରୁ ଅଧିକ କାର୍ଯ୍ୟକ୍ରମ । ପଛକୁ ଫେରି ଚାହିଁଲେ ଆଜି ଦିଶୁଛନ୍ତି ଭୁଲି ଯାଇଥିବା ସେ‌‌ଇ ସବୁ ସଫଳ କାର୍ଯ୍ୟକ୍ରମ ।


ମାର୍ଚ୍ଚ ୨୦୧୧ ରେ ପଞ୍ଜିକୃତ ହୋଇ ଆରମ୍ଭ ହୋଇଥିଲା ଉତ୍ସ ।  ୨୦୨୧ କୁ ପୁରିଲା ୧୦ ବର୍ଷ । ଏହି ଅବସରରେ ଗତକାଲି ଉତ୍ସର ପ୍ରତିଷ୍ଠାତା ଓ ଭାରତର ପ୍ରସିଦ୍ଧ ଚିତ୍ରଶିଳ୍ପୀ ଜଗନ୍ନାଥ ପଣ୍ଡାଙ୍କ ସହ ଏକ ସାନ୍ଧ୍ୟ କଥୋପକଥନର ଆୟୋଜନ ହୋଇଥିଲା ଉତ୍ସ ପରିସରରେ । କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ବିଗତ ଦିନ ମାନଙ୍କରେ ଉତ୍ସ ସହ ଅନ୍ତରଙ୍ଗ ଥିବା କତିପୟ ଚିତ୍ରଶିଳ୍ପୀ, ସାହିତ୍ୟିକ, ଅଭିନେତା ଓ ବୁଦ୍ଧିଜୀବୀ । ଜଗନ୍ନାଥ ପଣ୍ଡାଙ୍କ ସହ କଥାବାର୍ତ୍ତା କରିଥିଲେ କବି, ସମାଲୋଚକ, ସାମ୍ବାଦିକ କେଦାର ମିଶ୍ର । ୧୦ ବର୍ଷ ଭିତରେ ଉତ୍ସ କ’ଣ ସବୁ କରିଛି, କ’ଣ ସବୁ ଆଗକୁ କରିବାର ଯୋଜନା ରଖିଛି, ସେ ବିଷୟରେ ଜଗନ୍ନାଥ ପଣ୍ଡା ସୂଚନା ଦେବା ପରେ, କେଦାର ମିଶ୍ର କେବଳ କିଛି ଚିତ୍ରଶିଳ୍ପୀଙ୍କ ଦ୍ୱାରା ପରିଚାଳିତ ଫାଉଣ୍ଡେସନର ୧୦ ବର୍ଷର ନିରବଛିନ୍ନ ଯାତ୍ରାର ଧାରାବାହିକତାର ଭଲ ମନ୍ଦ ବିଷୟରେ ପଚାରିଥିଲେ । ଡକ୍ୟୁମେଣ୍ଟେସନ୍, ପବ୍ଲିକେସନ୍ ଏବଂ ଓଡିଶାର ଲୋକଙ୍କ ପାଇଁ କଳା ଓ ସଂସ୍କୃତି ବିଷୟରେ ଓଡିଆରେ ବହି ତିଆରିର ଆବଶ୍ୟକତା ବିଷୟରେ କରିଥିଲେ ଆଲୋଚନା । ଆଲୋଚନା ଶେଷରେ ଇଂରାଜୀ କବି ରବିନ୍ଦ୍ର କୁମାର ସ୍ୱାଇଁ ପଢିଥିଲେ ତାଙ୍କର ତିନୋଟି ଇଂରାଜୀ କବିତା । କାର୍ଯ୍ୟକ୍ରମ ଶେଷ ହେବା ପୂର୍ବରୁ ଗୀତ ଗାଇ କାର୍ଯ୍ୟକ୍ରମକୁ ଏକ ସୁନ୍ଦର ଶେଷ ସ୍ପର୍ଶ ଦେଇଥିଲେ ଚିତ୍ରଶିଳ୍ପୀ, ଅଭିନେତା ଓ ମଞ୍ଚ ନିର୍ଦ୍ଦେଶକ ଲଲାଟେନ୍ଦୁ ରଥ । ଆଗାମୀ ୨୦୨୧ ଏପ୍ରିଲ୍ ରୁ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ବର୍ଷଟିକୁ ଉତ୍ସର ୧୦ ବର୍ଷ ପୂର୍ତ୍ତିର ଉତ୍ସବ ଭାବେ ପାଳନ କରିବ ବୋଲି ଘୋଷଣା କରିଥିଲେ ଜଗନ୍ନାଥ ପଣ୍ଡା । ଏହି ବର୍ଷକ ଭିତରେ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମ ଗୋଟିଏ ଗୋଟିଏ ଅଂଶ ହେବେ ଏହି ଉତ୍ସବର । ତାପରେ ଉତ୍ସକୁ ନେଇ ଅନେକ ସ୍ମୃତି ବିସ୍ମୃତିର କଥା ବର୍ଣ୍ଣନା କଲେ ଜଗନ୍ନାଥ ପଣ୍ଡା । କହିଲେ କେମିତି ତାଙ୍କୁ ଅନେକ ପଚାରିଥିଲେ ଓଡ଼ିଶା ପାଇଁ କିଛି କରିବାକୁ । କେମିତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ସହଯୋଗର ହାତ ବଢାଇଥିଲେ । କେମିତି ଦିନନାଥ ପାଠୀ ଓ ପ୍ରଫେସର ଦେବ ପଟ୍ଟନାୟକ ବାଟ ଦେଖାଇଥିଲେ । କେମିତି ଗଢାଯାଇଥିଲା ଉତ୍ସ ଫାଉଣ୍ଡେସନ୍ । କେମିତି ଧିରେ ଧିରେ ଅନେକ ଉତ୍ସାହୀ ମଣିଷମାନେ ଯୋଗ ଦେଇଥିଲେ ।


ମୋର ମନେ ପଡିଗଲା ୨୦୧୧ ରେ କେମିତି ମୁଁ  ସି.ଆଇ.ଇ.ଏଫ୍.ଏଲ୍, ହାଇଦ୍ରାବାଦ୍ ରୁ ଆସି ଯୋଗ ଦେଇଥିଲି ଉତ୍ସ ଗଠନର ପ୍ରାରମ୍ଭିକ ପ୍ରକ୍ରିୟାରେ । ସେତେବେଳେ ଉତ୍ସର ସ୍ଥାୟୀ ଠିକଣା କିଛି ନଥିଲା । ମନେ ପଡ଼ିଲା ଦେବ ପଟ୍ଟନାୟକ କେମିତି ଟିକିନିଖି ସବୁ କଥାକୁ ଗୁରୁତ୍ୱ  ଦେଉଥିଲେ... ମୁଁ ଉତ୍ସର ସବୁ ଲେଖାପଢା କାମକୁ ବୁଝି ପାରିବି କି ନାହିଁ ଗୁଡାଏ ପ୍ରଶ୍ନ ପଚାରି କେମିତି ପରଖୁଥିଲେ ମୋତେ... ରାମହରି ଜେନା କେମିତି ଲୋଗୋ ତିଆରିରେ ଲାଗି ରହିଥିଲେ। ମୁଁ ବି ବସି ରହୁଥିଲି ଜଗନ୍ନାଥ ପଣ୍ଡା  ଓ ତାଙ୍କ ପାଖରେ ଳଳିତ କଳାରେ ଅନେକ ସମୟ। ରମାକାନ୍ତ ସାମନ୍ତରାୟ, ରାମହରି ଜେନା, ଜଗନ୍ନଥ ପଣ୍ଡାଙ୍କ ସହ ସେଇଠି ଚାଲୁଥିଲା ଚର୍ଚ୍ଚା ଲୋଗୋ ର ରଙ୍ଗ, ଅର୍ଥ, ଚିତ୍ର ବିଷୟରେ। ମନେ ପଡ଼ିଲା ରମାକାନ୍ତ ସାମନ୍ତରାୟ କେମିତି ଉତ୍ସ ପାଇଁ କେଉଁଠି ଘର ନିଆଯିବ ଖୋଜି ବୁଲୁଥିଲେ...ଜଗନ୍ନାଥ ପଣ୍ଡା କେମିତି ବାରମ୍ବାର ଦିଲ୍ଲୀରୁ ଆସି ଏଇ ସମସ୍ତଙ୍କର ପ୍ରଚେଷ୍ଟାରେ ସାମିଲ୍ ହେଉଥିଲେ ସବୁଥର...ଦିଲ୍ଲୀରେ ରହି ଘରଠୁ ଆରମ୍ଭ କରି ଷ୍ଟୁଡିଓ ପର୍ଯ୍ୟନ୍ତ ସବୁ କାମକୁ କେମିତି ଏକା ସମ୍ଭାଳୁଥିଲେ ସହଧର୍ମିଣୀ ଓ ଚିତ୍ରଶିଳ୍ପୀ ପ୍ରଣତି ପଣ୍ଡା... ସରକାରୀ ସ୍ତରରେ ବିଭିନ୍ନ ସମ୍ମତି ପାଇବା ପାଇଁ ରମାକାନ୍ତ ଙ୍କ ସହ ବିଭିନ୍ନ ସରକାରୀ ଅଫିସ୍ ରେ ଘଣ୍ଟା ଘଣ୍ଟା ଧରି କେମିତି ଅପେକ୍ଷା କରି ରହୁଥିଲେ ଜଗନ୍ନାଥ ପଣ୍ଡା । ସବୁକିଛି ସ୍ପଷ୍ଟ ମନେଅଛି।

ପ୍ରାରମ୍ଭିକ ପ୍ରଚେଷ୍ଟାର ମୂଳଦୂଆ ଆଉ ଏଇ ମଣିଷ ମାନଙ୍କ ସମୟର ବଳିଦାନ ପାଇଁ ହିଁ ଆଜି ଏମିତି ଏକ ଅନୁଷ୍ଠାନ ସମ୍ଭବ ହୋଇପାରିଛି । ଏତେ କାର୍ଯ୍ୟକ୍ରମ ସମ୍ଭବ ହୋଇପାରୁଛି । ଜାତୀୟଠୁ ଆରମ୍ଭ କରି ଆନ୍ତର୍ଜାତୀୟ ସ୍ତରରେ ଉତ୍ସ’ର ପରିଚୟ ତିଆରି ହୋଇଛି । ସବୁଠୁ ବେଶୀ ଅବଦାନ କିନ୍ତୁ ରହିଛି ଜଗନ୍ନାଥଙ୍କର । ଚିତ୍ରଶିଳ୍ପୀ ଭାବରେ ଆର୍ନ୍ତଜାତୀୟ ସ୍ତରରେ ତାଙ୍କର ପ୍ରସିଦ୍ଧି ହିଁ ଉତ୍ସକୁ ସବୁମତେ ସାରା ବିଶ୍ୱରେ ପରିଚିତ କରେଇଛି । ତାଙ୍କରି ମୁହଁକୁ ଚାହିଁ ହିଁ ଆର୍ଥିକ ସହଯୋଗର ହାତ ବଢେ‌ଇଛନ୍ତି ସମସ୍ତେ । ଭାରତ ଓ ଭାରତ ବାହାରୁ ଯୁବଶିଳ୍ପୀମାନେ ଆର୍ଟିଷ୍ଟ ଇନ୍ ରେସିଡେନ୍ସିରେ ଯୋଗ ଦେଇଛନ୍ତି । ଓଡ଼ିଶାର ଶିଳ୍ପୀମାନେ ଅତି ପାଖରୁ ଦେଖିଛନ୍ତି ନୂଆ ନୂଆ କଳାଭ୍ୟାସର କେତେ କ’ଣ ପରୀକ୍ଷା ନିରୀକ୍ଷା, ଗବେଷଣା ଓ ସମ୍ଭାବନାକୁ । ଗ୍ୟାଲେରୀ ବ୍ୟବସ୍ଥାର ଚାରି କାନ୍ଥର ପରିସରର ବାହାରକୁ କଳାକୁ ଘେନିଯିବାର ଓ କଳାକୁ ସାଧାରଣ ମଣିଷର ଜୀବନ ଏବଂ ଜୀବିକା ସାଙ୍ଗରେ ଯୋଡିବାର ଯେଉଁ ପ୍ରୟାସ ଆରମ୍ଭ କରାଯାଇଥିଲା ତାହା ଅନେକାଂଶରେ ସଫଳ ହେଇଛି । ଓଡ଼ିଶା ମାଟିରେ ସମସାମୟିକ କଳାର ଅଭ୍ୟାସ, ପ୍ରଚାର ଓ ପ୍ରସାର ପାଇଁ ଅନେକ ବର୍ଷରୁ ଯେଉଁ ବିକଳ୍ପ ମଞ୍ଚର ଆବଶ୍ୟକତା ଥିଲା ତାହା ଯୋଗେଇ ଦେଇଛି ଉତ୍ସ । ଅନେକ ଓଡ଼ିଆ ଯୁବ ଶିଳ୍ପୀ ଉପକୃତ ହୋଇଛନ୍ତି । କଳାର ବିଭିନ୍ନ ବିଭବକୁ ଡାକି ଆଣି ଗୋଟିଏ ଯାଗାରେ ଏକାଠି କରିବାର ଉତ୍ସର ଅନବରତ ପ୍ରୟାସ ଏବେବି ଜାରୀ ରହିଛି ।

ଚଳିତ ବର୍ଷ ଫାଉଣ୍ଡେସନର ଦଶ ବର୍ଷ ପୂର୍ତ୍ତି ଉପଲକ୍ଷେ ଅନେକ ଗୁଡେ କାର୍ଯ୍ୟକ୍ରମ କରିବାର ଯୋଜନା କରାଯାଇଛି । ଯେଉଁଥିରେ ଅଛି ପବ୍ଲିକେସନ୍, ୱାର୍କସପ୍, ଟକ୍, ରେସିଡେନ୍ସି, ଫିଲ୍ମ ସ୍କ୍ରିନିଂ, ପବ୍ଲିକ ଆର୍ଟ ପ୍ରୋଜେକ୍ଟ ଓ ଆହୁରି ଅନେକ ।   

Leave a comment