ଛାଇ ଆଲୁଅର ଖେଳ ଓ ତପନ ମହାରଣାଙ୍କ କଳାକର୍ମ

ଛାଇ କଣ୍ଢେଇର ପରମ୍ପରା ଭାରତରେ ବେଶ୍ ପୁରୁଣା । ପୁରାତନ ପରମ୍ପରା ଭାବରେ ଭାରତ ଓ ଭାରତ ବାହାରେ ଏହାର ଏବେବି ପ୍ରଚଳନ ଅଛି । ଓଡ଼ିଶାରେ ଆମର ଛାଇ କଣ୍ଢେଇକୁ ରାବଣ ଛାୟା କୁହାଯାଏ । ଯେଉଁଠି ଧଳା କପଡ଼ା ଓ ଆଲୋକର ଉତ୍ସ ମଧ୍ୟରେ ଚମଡ଼ାରେ ତିଆରି କଣ୍ଢେଇକୁ ରଖି ଖେଳା ଯାଏ । ଆଜିର ଯେଉଁ ସିନେମା ଆମେ ଦେଖୁଛନ୍ତି ତାହାର ଆଦି ରୂପ ଏଇ ଛାୟା କଣ୍ଢେଇର ନାଚ । ତପନ ଏପରି ଏକ ବର୍ଷ ବର୍ଷର ପୁରୁଣା ପରମ୍ପରାକୁ ନିଜ ସୃଜନ କର୍ମରେ ବ୍ୟବହାର କରିଛନ୍ତି ।
ଫଟୋ-ସୁମିତ୍ରା ପାଢୀ

ଗତ ଫେବୃୟାରୀ ମାସ ସାରା ଉତ୍ସ ଫାଉଣ୍ଡେସନ୍ ଅଫ୍ କଣ୍ଟେମ୍ପରାରୀ ଆର୍ଟସ, ଭୁବନଶ୍ୱରରେ ଚାଲିଥିବା ଉତ୍ସ ରେସିଡେନ୍ସି କାର୍ଯ୍ୟକ୍ରମରେ ଏଥର ଯୋଗ ଦେଇଥିଲେ ଚିତ୍ରଶିଳ୍ପୀ ତପନ ମହାରଣା । “ଦ ଷ୍ଟୋରିଜ୍ ଅଫ୍ ସେପ୍ ସିଫ୍ଟିଙ୍ଗ୍; ଦ ପ୍ରୋସ୍ପେକ୍ଟ ଅଫ୍ ଅନସେଟଲଡ୍ ମ୍ୟାନ୍” ନାମରେ ସେ ତିଆରି କରିଥିଲେ କଳାକୃତିମାନ । ଏମିତି ଏକ ଶୀର୍ଷକ ନେଇ ସେ ୨୦୧୭ରୁ କାମ କରି ଆସୁଛନ୍ତି । ମାଟି, ନଷ୍ଟ ଏଲ୍.ଇ.ଡି ଲାଇଟ୍, କପଡା, ତାର, ରଙ୍ଗ, କାଗଜ ଆଦି ସ୍ଥିର ରୂପ ରଙ୍ଗ ଥିବା ପଦାର୍ଥ ସହ ପାଣି, ଆଲୁଅ, ଧ୍ୱନୀ ପରି ଆକାରବିହୀତତ୍ତ୍ୱକୁ ନେଇ ସ୍ଥାପତ୍ୟର ପରୀକ୍ଷାଗାରରେ ନିତିପ୍ରତି କରି ଚାଲୁଛନ୍ତି ଗବେଷଣା । ମୂର୍ତ୍ତି ତିଆରି ସହ ଛାଇ ଆଲୁଅର ଏକ ଭିନ୍ନ ସାମ୍ରାଜ୍ୟ ତିଆରି ହେଉଛି ପ୍ରତି ଥର । ଇନଷ୍ଟଲେସନ୍ ସହ ଅନେକ ଡ୍ରଇଂ ତାଙ୍କର ସାମିଲ୍ ହେଉଛି ସେଥିରେ । ଅନେକ ଫଟୋଗ୍ରାଫ୍, ଭିଡିଓ, ପ୍ରିଣ୍ଟ ବି ଅର୍ନ୍ତଭୁକ୍ତ ହେଉଛି । ଗତାନୁଗତିକ ଭାସ୍କର୍ଯ୍ୟ ତିଆରି ପ୍ରକ୍ରିୟାରୁ ବାହାରି ଆସି ପାରମ୍ପରିକ ଓ ଆଧୁନିକତାର ଏକ ଅଦ୍ଭୁତ ସମ୍ମିଶ୍ରଣ କରିବାର ପ୍ରୟାସ ସେ କରୁଛନ୍ତି ଅନବରତ । ଠିକ୍ ଯେମିତି ଏଥର ଉତ୍ସ ରେସିଡେନ୍ସି ରେ ସେ କରିଥିଲେ ଛାଇ ନାଟକ ଓ କଣ୍ଢେଇ ନାଚକୁ ନିଜ ସ୍ଥାପତ୍ୟରେ ସମ୍ମିଳିତ କରିବାର ପ୍ରଚେଷ୍ଟା । 

ଛାଇ କଣ୍ଢେଇର ପରମ୍ପରା ଭାରତରେ ବେଶ୍ ପୁରୁଣା  । ପୁରାତନ ପରମ୍ପରା ଭାବରେ ଭାରତ ଓ ଭାରତ ବାହାରେ ଏହାର ଏବେବି ପ୍ରଚଳନ ଅଛି । ଓଡ଼ିଶାରେ ଆମର ଛାଇ କଣ୍ଢେଇକୁ ରାବଣ ଛାୟା କୁହାଯାଏ । ଯେଉଁଠି ଧଳା କପଡ଼ା ଓ ଆଲୋକର ଉତ୍ସ ମଧ୍ୟରେ ଚମଡ଼ାରେ ତିଆରି କଣ୍ଢେଇକୁ ରଖି ଖେଳା ଯାଏ । ଆଜିର ଯେଉଁ ସିନେମା ଆମେ ଦେଖୁଛନ୍ତି ତାହାର ଆଦି ରୂପ ଏଇ ଛାୟା କଣ୍ଢେଇର ନାଚ । ତପନ ଏପରି ଏକ ବର୍ଷ ବର୍ଷର ପୁରୁଣା ପରମ୍ପରାକୁ ନିଜ ସୃଜନ କର୍ମରେ ବ୍ୟବହାର କରିଛନ୍ତି । ଏଠି ସେ ଛାଇ କଣ୍ଢେଇ ନାଚର ମୂଖ୍ୟ ବ୍ୟାକରଣକୁ ଆହରଣ ଯଦିଓ କରିଛନ୍ତି ତେବେ କଣ୍ଢେଇ ଜାଗାରେ ଥ୍ରୀଡି ଅବଜେକ୍ଟକୁ ଯୋଡ଼ିଛନ୍ତି । ବସ୍ତୁ ଓ ତା’ର ଛାଇ ଉଭୟ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ । ଉଭୟେ ସଂଯୁକ୍ତ ମଧ୍ୟ । ଆଲୋକ, ଛାଇ ଓ ଭାସ୍କର୍ଯ୍ୟକୁ ନେଇ ସେ ତାଙ୍କ ସୃଜନ କର୍ମ ସଂପାଦିଛନ୍ତି । ଆଜିର ସମସାମୟିକ କଳା ଅଭ୍ୟାସରେ ପରମ୍ପରାକୁ ନୂଆ ବାଗରେ ଓ ନୂତନ ଭାବରେ ପୁନଃ ଆବିଷ୍କାର କରିବା ଏକ ଗୁରୁତ୍ୱପୂର୍ଣ ବିଭବ ଭାବରେ ସ୍ୱୀକୃତ । ତପନ ପାରିପାର୍ଶ୍ୱିକ ପରିବେଶ ସହ ତାଙ୍କ କଳାକୃତି ମାନଙ୍କୁ ସଚେତନ ଭାବରେ ଆଲୋକ ଓ ଛାଇ ସହ ସହାବସ୍ଥାନ କରାଇ ଦର୍ଶକ ପାଇଁ ମାୟାର ଏକ ପରିବେଶ ତିଆରି କରିଛନ୍ତି । ଯେଉଁଠି ସେ ପରିବେଶ, ସହାବସ୍ଥାନ, ସମସାମୟିକ ଯୁବ ସମାଜର ମନସ୍ଥିତି ଓ ପରମ୍ପରାର ପୁନଃ ଅର୍ଥ ଅର୍ଥାନ୍ତରକୁ ବାଖ୍ୟା କରିବାକୁ ପ୍ରୟାସ କରିଛନ୍ତି ।

୧୯୮୯ରେ ଭଦ୍ରକ ଜିଲ୍ଲାର ଆଗରପଡ଼ା ଠାରେ ଚିତ୍ରଶିଳ୍ପୀ ତପନ ମହାରଣାଙ୍କର ଜନ୍ମ । ପିଲାବେଳରୁ ତପନଙ୍କ ଭିତରେ କଳାକାରଟିଏ ହେବାର ସମ୍ଭାବନା ଦେଖାଦେଇଥିଲା । ଆଉ ଏଇ ସମ୍ଭାବନାକୁ ପୂର୍ଣ୍ଣ ରୂପ ଦେବା ଲାଗି ସବୁ ସମୟରେ ଓ ସବୁ ପ୍ରକାରର ସହାୟତା କରିଥିଲେ ତପନଙ୍କ ଜେଜେମା । ସେ ତପନଙ୍କ ଭିତରେ ଦେଖି ପାରୁଥିଲେ ଇହଧାମ ଛାଡି ସାରିଥିବା ତାଙ୍କ ପତିଙ୍କର ଶିଳ୍ପୀ ସ୍ୱଭାବକୁ । ହଁ, ତପନଙ୍କ ଜେଜେ ଥିଲେ ଜଣେ ସ୍ଥପତି । ତାଙ୍କ ନିପୁଣ କାରିଗରି ଓ ସୌନ୍ଦର୍ଯ୍ୟବୋଧର ପ୍ରତୀକ ରୂପେ ରକମ ରକମର ଖୋଦେଇ ଯନ୍ତ୍ରପାତି ସେ ଛାଡି ଯାଇଥିଲେ ଘରେ । ଛୁଆ ବେଳଠୁ ସୁନ୍ଦର ସୁନ୍ଦରଶିଙ୍ଗମାନ ଲାଗିକରିତିଆରି ହୋଇଥିବା ସେଇ ନିହାଣ, ମୁଗୁର ଆଦି ପ୍ରତି ଆକର୍ଷିତ ହେଉଥିଲେ ତପନ । ସେସବୁକୁ ଧରି କିଛି ଗୋଟେ କରି ପକେଇବାକୁ ଇଚ୍ଛା ହେଉଥିଲା ତାଙ୍କର । ତେଣୁ କାହା ପାଖକୁ ଯାଇ କେବେବି କିଛି କୌଶଳ ଶିଖିବାର ଆବଶ୍ୟକତା ପଡିନି । ସେ ସେଇ ସ୍କୁଲ୍ ପଢିବା ବୟସରୁ ଯନ୍ତ୍ରପାତି ସବୁକୁ ଧରି ଖୋଦେଇ କାମ ସବୁ କରିଯାଇଛନ୍ତି ଖୁବ୍ ସହଜରେ । ଗାଁ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି, ପ୍ରଶଂସା କରିଛନ୍ତି ଓ ମୂର୍ତ୍ତି ଗଢିବାର ବରାଦ ବି ଦେଇଛନ୍ତି ସମୟ ସମୟରେ । ଜେଜେମା ଆହୁରି କାମ କରିବାକୁ ଓ ଦକ୍ଷ ହେବାକୁ ପ୍ରେରଣା ଦେଇଛନ୍ତି । ଓଡିଶାର ଏତେ ଏତେ ଆର୍ଟ କଲେଜ୍ ଛାଡି କଲିକତା ଯାଇ ପଢିବା କଥାରେ ବି ଅନାୟାସରେ ରାଜି ହୋଇ ଯାଇଛନ୍ତି । ରାଜି ବି କରେଇଛନ୍ତି ଅନ୍ୟ ପରିବାରବର୍ଗଙ୍କୁ ।

୨୦୦୯ରେ ତପନ ମହାରଣା କଲିକତା ଯାଇଛନ୍ତି ବି.ଏଫ୍.ଏ ପଢିବାକୁ । ସ୍ଥାପତ୍ୟରେ ଉଭୟ ସ୍ନାତକ (୨୦୧୧) ଓ ସ୍ନାତକୋତ୍ତର (୨୦୧୩) କରିଛନ୍ତି ରବିନ୍ଦ୍ର ଭାରତୀ ୟୁନିଭର୍ସିଟି, କଲିକତାରୁ । କିନ୍ତୁ ପଢା ସରିବା ପରେ କେବଳ ନିର୍ଦ୍ଧିଷ୍ଟ ଆକାରଟିଏ ଦେଇ କିଛି ଗୋଟେ ଭାସ୍କର୍ଯ୍ୟ ତିଆରି କରିଦେବା ଅପେକ୍ଷା ନିଜ କାର୍ଯ୍ୟରେ ଧାରଣା ଓ ଅବଧାରଣାର ଅନୁସନ୍ଧାନ କରିବାକୁ ଚେଷ୍ଟା କରିଛନ୍ତି ସେ । ଗତାନୁଗତିକ ଭାସ୍କର୍ଯ୍ୟ ତିଆରିରେ ନମାତି ସେ ଚେଷ୍ଟା କରିଛନ୍ତି ଚାରିପାଖରେ ମିଳୁଥିବା ବା ପଡିଥିବା ଜିନିଷକୁ ନେଇ ନିଜ କାମରେ ବ୍ୟବହାର କରିବାକୁ । ଏମିତି କରିବା ଭିତରେ ଦୈନନ୍ଦିନ ଜୀବନ ଓ କଳା ଭିତରେ ଯେଉଁ ସୁଷ୍ମ ପାର୍ଥକ୍ୟଟିଏ ଥାଏ ତାକୁ ନିଜ କାମରେ ସେ ଲିଭେଇ ପାରିବାକୁ ସମର୍ଥ ହୋଇଛନ୍ତି । ଛାଇ, ସ୍ଥାପତ୍ୟ, ଡକ୍ୟୁମେଣ୍ଟାରୀ, ଫଟୋଗ୍ରାଫି, ଭିଡିଓ, ପ୍ରିଣ୍ଟ ଆଦି ବିଭିନ୍ନ ମାଧ୍ୟମରେ ସେ ନିଜ କଳାକର୍ମର ପରୀକ୍ଷାନୀରିକ୍ଷା କରିଛନ୍ତି । ଯାଇଛନ୍ତି ଗାଁ ଗାଁ ମାଟିକୁ ନେଇ ଘର ତିଆରି ଓ ଚାଷବାଷ କରୁଥିବା ଲୋକଙ୍କ ସହ ସମ୍ପର୍କ ଯୋଡିବାକୁ, ଶିଖିବାକୁ ମାଟିକୁ ନେଇ କାମ କରିବାର ପାରମ୍ପରିକ କଳା କୌଶଳ । ତପନଙ୍କ ଦୈନନ୍ଦିନ ଜୀବନର କାର୍ଯ୍ୟକଳାପ, ଭ୍ରମଣ ଆଦି ତାଙ୍କ କଳା ଜୀବନର ଏକ ଅଙ୍ଗ ହିସାବରେ ଖୁବ୍ ସୁନ୍ଦର ରୂପରେ ଆତ୍ମପ୍ରକାଶ କରିଛି ତାଙ୍କ ସ୍କେଚ୍ ବୁକ୍ ରେ । ସେ ନିଜ ଚାରିପାଖରେ ଥିବା ବସ୍ତୁ-ପଦାର୍ଥର କେମିତି ପରିବର୍ତ୍ତନ ଘଟୁଛି ତାହାକୁ ଅନବରତ ଲକ୍ଷ୍ୟ କରିଛନ୍ତି । ଜଣେ କଳାକାର ଭାବରେ ନିଜର ଶାରୀରିକ, ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଦିଗ ସହ ବ୍ୟକ୍ତିଗତ ଜୀବନକୁ ବି ନଥିଭୁକ୍ତ କରିଛନ୍ତି । ତାଙ୍କର କଳାକାର୍ଯ୍ୟରେ ଏଇ ବିକଳ୍ପ ଅଭ୍ୟାସକୁ ବଞ୍ଚେଇ ରଖିବାର ପ୍ରୟାସ ସେ କରିଚାଲିଛନ୍ତି ଅହରହ । ମୂଖ୍ୟସ୍ରୋତରେ ନ ମିଶି ବିକଳ୍ପ ପ୍ରୟାସକୁ ବଞ୍ଚେଇ ରଖିବା କଷ୍ଟସାଧ୍ୟ ହେଲେ ବି ବିଭିନ୍ନ ରେସିଡେନ୍ସି ଓ ସ୍କଲାରସିପ୍ ସହାୟକ ହୋଇଛି ତାଙ୍କର ଏହି ପ୍ରୟାସକୁ ଜାରି ରଖିବାରେ ।

ନୂଆଦିଲ୍ଲୀ, ବାଙ୍ଗାଲୋର, ଅଷ୍ଟ୍ରେଲିଆ, ଭୁବନେଶ୍ୱର ଆଦି ବିଭିନ୍ନ ସ୍ଥାନରେ ଆର୍ଟିଷ୍ଟ ରେସିଡେନ୍ସି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ତପନ ମହାରଣା । ପାଇଛନ୍ତି ପ୍ରଶଂସା, ଅର୍ଥ, ପୁରସ୍କାର, ସମ୍ମାନ । ୨୦୧୭ରେ ସେ ପୁରା ମାସଟିଏ ବିତେଇଥିଲେ ଅଷ୍ଟ୍ରେଲିଆରେ ବିଭିନ୍ନ ପ୍ରଦର୍ଶନୀରେ ଯୋଗ ଦେବାକୁ ।  ସେହି ସମୟ ଭିତରେ “ଦ କ୍ୟୁବ୍” ନାମରେ ତାଙ୍କର ଏକ ଏକକ ପ୍ରଦର୍ଶନୀ ହୋଇଥିଲା କର୍ଟିନ୍ ୟୁନିଭର୍ସିଟି, ଅଷ୍ଟ୍ରେଲିଆରେ । ଏଥିସହିତ ବର୍ଲିନ୍ ସାଇନ୍ସ ଉଇକ୍ ରେ ବି ସେ ଯୋଗ ଦେଇ ନିଜ ସ୍ଥାପତ୍ୟ କଳା ପ୍ରଦର୍ଶିତ କରିଥିଲେ । ଇଟାଲିଆନ୍ ଏମ୍ବାସି ନୂଆଦିଲ୍ଲୀ ଓ କଲିକତାର ପ୍ରଦର୍ଶନୀ ମାନଙ୍କରେ ବି ସେ ଯୋଗ ଦେଇଛନ୍ତି । ଏହା ବ୍ୟତୀତ ଲଳିତ କଳା ଏକାଡେମୀର ରିସର୍ଚ୍ଚ ସ୍କଲାରସିପ୍, ଇନଲାକସ ଫାଇନ୍ ଆର୍ଟ ଆାୱାର୍ଡ, ରବିନ୍ଦ୍ର ଭାରତୀ ୟୁନିଭର୍ସିଟିର ବାର୍ଷିକ ପ୍ରଦର୍ଶନୀରେ ସ୍କଲ୍ପଚର୍ ଆୱାର୍ଡ ଆଦି ପାଇଛନ୍ତି ସେ । 

ତପନ ମହାରଣା ସମସାମୟିକ ସମୟର ବିକଳ୍ପ ପ୍ରୟାସ କରୁଥିବା ଜଣେ ଓଡିଆ ଯୁବ ସ୍ଥପତି । ଉତ୍ସ ରେସିଡେନ୍ସି ତାଙ୍କ ବିକଳ୍ପ ପ୍ରଚେଷ୍ଟାକୁ ବଞ୍ଚେଇ ରଖିବାକୁ ଏକ ଅବସର ଯୋଗେଇ ଦେଇଛି ମାତ୍ର । ଆଗାମୀ ସମୟରେ ତାଙ୍କରି ପରି ବିକଳ୍ପ ପ୍ରୟାସ କରୁଥିବା ଆହୁରି ଅନେକ ଯୁବ କଳାକାରଙ୍କୁ ପ୍ରୋତ୍ସାହିତ କରିବାକୁ ଏମିତି ଅବସରମାନ ଯୋଗାଇ ଦେବାକୁ ଉତ୍ସ ସବୁବେଳେ ପ୍ରତିଶୃତିବଦ୍ଧ ।


Leave a comment