ମଙ୍ଗଲେଶ ଡବ୍ରାଲଙ୍କ ତିନୋଟି କବିତା

ମଙ୍ଗଲେଶ ଡବ୍ରାଲ (୧୬ ମଈ, ୧୯୪୮ - ୨୦ ଡିସେମ୍ବର, ୨୦୨୦), ହିନ୍ଦୀ କବିତାର ଅତ୍ୟନ୍ତ ପ୍ରଭାବଶାଳୀ କବି । ତାଙ୍କ ପ୍ରସିଦ୍ଧ କବିତା ବହି "ପାହାଡ ପର ଲାଲଟେନ"ରୁ ତିନୋଟି କବିତାର ଓଡିଆ ଅନୁବାଦ କରିଛନ୍ତି କେଦାର ମିଶ୍ର ।
ଅନୁପସ୍ଥିତି
ପିଲାଦିନେ, ଏଇଠି ପଡୁଥିଲା ବରଫ
ବରଫ ପଡୁଥିଲା
ପାହାଡ଼ରେ, ଗଛରେ, ଅଗଣାରେ, ପାହାଚ ଉପରେ
ପାହାଡ଼ ଉପରେ ଚାଲି ଚାଲି ଆମେ ତିଆରି କରୁଥିଲୁ ରାସ୍ତା ।
ବଡ଼ହେଲା ପରେ ମୁଁ ଦେଖିଲି
ବରଫ କେମିତି ତରଳି ଯାଏ
କିଛି ସମୟ ଚକମକ କରେ ପାଣି
ଶେଷରେ ତାକୁ ଶୁଖେଇ ଦିଏ ସୂର୍ଯ୍ୟକିରଣ ।     

ରୁଟି ଓ କବିତା
ଯିଏ ରୁଟି ବନାଏ, ସେ କବିତା ଲେଖେନି
ଯିଏ କବିତା ଲେଖେ, ସେ ରୁଟି ବନାଏନା
ଦୁହିଙ୍କ ଭିତରେ ସେମିତି କିଛି ସମ୍ପର୍କ ଥିଲା ପରି ଆଦୌ ଲାଗେନା ।
ହେଲେ ଇଏ କି ବିଚିତ୍ର କଥା
ଯେବେ ରୁଟି ଖାଇଲା ବେଳେ
ଲାଗେ କବିତା ପଢା ହେଉଛି
ଓ କବିତା ପଢିଲା ବେଳେ ଲାଗୁଛି
ରୁଟି ଖିଆ ହେଉଛି ।

ସେ ସ୍ତ୍ରୀ ଲୋକର ପ୍ରେମ
କେଜାଣି କେଉଁଠି ଥିବ ସେ ସ୍ତ୍ରୀ ଲୋକ
ଯିଏ ମୋତେ କହିଥିଲା -
ତମକୁ ଯେଉଁ ସବୁ ସ୍ତ୍ରୀ ଲୋକ ଆଗକୁ ପ୍ରେମ କରିବେ
ସେମାନେ ମୋ ଭିତରୁ ଇ ଆସିଥିବେ
ତମେ ମୋତେ ଯେଉଁ ପ୍ରେମ କରିଛ
ସେଇ ପ୍ରେମ ତମେ ସେଇ ସବୁ ସ୍ତ୍ରୀ ଲୋକଙ୍କୁ ବି କରୁଥିବ
ଆଉ ସେମାନଙ୍କୁ କରିଥିବା ତମର ପ୍ରେମ
ମୋ ପାଇଁ ବି ହୋଇଥିବ । 
ଏଇଟା ଜାଣିବା ଦୁରୂହ ଯେ
ମୋ ଭିତରେ ତାର ସବୁ ପ୍ରେମକୁ ଛାଡ଼ି ଦେଇ
ଏକୁଟିଆ କୁଆଡେ ଗଲା ସେ ସ୍ତ୍ରୀ ଲୋକ 
ଯିବା ପରେ ବି ଲାଗୁଥିଲା ଯେ
ସେ ଅଛି ଏଇ ମୋର ଆଖପାଖରେ
ଅନେକ ସମୟରେ ସେ ଆସୁଥିବାର ପାଦଶବ୍ଦ
ମୋତେ ଶୁଭୁଥିଲା
ପବନରେ ଭରପୁର ଥିଲା ତାର ସ୍ପନ୍ଦନ
ତାର ସ୍ପର୍ଶ ଉଡ଼ି ଉଡ଼ି ଆସୁଥିଲା
ଚାଲୁ ଚାଲୁ ଅଚାନକ
ଅପଶ୍ରୂୟମାନ ଅନ୍ଧାରରେ ଫୁଟୁଥିବା ଫୁଲ ପରି
ଦିଶି ଯାଉଥିଲା ତାର ଆତ୍ମା ।
 
ତାପରେ ଯେଉଁ ସବୁ ସ୍ତ୍ରୀ ଲୋକଙ୍କ ସହ ମୋର ଦେଖା ହେଲା
ସେମାନେ କେହି ମୋତେ ପ୍ରେମ କରୁ ନଥିଲେ
ବୋଧହୁଏ ସେମାନେ ମୋତେ ତାଙ୍କର ଯୋଗ୍ୟ ବୋଲି ଭାବୁ ନଥିଲେ
ମୁଁ ଦେଖିଲି, ସେମାନେ ମୋର ସେଇ ପ୍ରଥମ
ସ୍ତ୍ରୀ ଲୋକକୁ ଇ ମନେ ପକାଉଥିଲେ
ତାର ସଙ୍କେତ ଇ ଶୁଣୁଥିଲେ
ତାର ସ୍ପନ୍ଦନରେ ଇ ଭରପୁର ଥିଲେ
ତାର ସ୍ପର୍ଶକୁ ସେମାନେ ପିନ୍ଧିଥିଲେ
ଆଉ ତାକୁ ଇ ଦେଖୁଥିଲେ
ଅପଶ୍ରୂୟମାନ ଅନ୍ଧାରରେ ଫୁଟୁଥିବା ଫୁଲ ପରି । 

Leave a comment