ଅସାଧାରଣ ସ୍ତ୍ରୀଲୋକ

ମାୟା ଆଞ୍ଜେଲୁ, (୪ ଏପ୍ରିଲ, ୧୯୨୮) ପୃଥିବୀରେ କବିତାର ନାରୀତ୍ଵର ସବୁଠୁ ଶକ୍ତିଶାଳୀ ସ୍ଵର । ୧୯୯୫ ରେ ପ୍ରକାଶିତ ତାଙ୍କର ଅସାଧାରଣ କବିତା "ଏ ଫେନୋମେନାଲ ଓମେନ" ର ଓଡ଼ିଆ ଅନୁବାଦ ଆଜି ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ।
ମାୟା ଆଞ୍ଜେଲୁ ଫଟୋ ଉତ୍ସ: ୱିକି କମନ୍ସ
ମୂଳ ରଚନା: ମାୟା ଆଞ୍ଜେଲୁ 
ମର୍ମାନୁବାଦ: କେଦାର ମିଶ୍ର 
 
ସୁନ୍ଦରୀ ସ୍ତ୍ରୀ ଲୋକଟି ଭାବେ 
କେଉଁଠି ଲୁଚି ରହିଛି ମୋର ସୁନ୍ଦରପଣର ରହସ୍ୟ 
ନା ମୁଁ ସୁନ୍ଦର, ନା କୌଣସି ଫେଶନ ମଡେଲ ପରି 
ମୋ ଦେହର ଗଢଣ
ଏମିତି କହିଲେ ସେମାନେ କୁହନ୍ତି ମୁଁ ମିଛେଇ 
ମୁଁ କହେ 
ସବୁ କିଛି ମୋ ନିଜ ହାତର ଖେଳ 
ମୋ ନିତମ୍ବର ଆକାର 
ମୋ ଚାଲିର ଚାତୁରୀ 
ମୋ ଓଠର ମାଧୁରୀ 
ସବୁ କିଛି ଅସାଧାରଣ 
ସେଇ ଅସାଧାରଣ ସ୍ତ୍ରୀଲୋକ, ମୁଁ । 
 
ମୁଁ ପ୍ରବେଶ କରେ ଗୋଟେ କୋଠରୀକୁ
ସେମାନଙ୍କ ପରି ସହଜ 
ସେମାନେ କିନ୍ତୁ ମୋତେ ଦେଖି ଠିଆ ହୁଅନ୍ତି 
କେହି କେହି ନତଜାନୁ 
ସେମାନେ ଘୂରିବୁଲନ୍ତି ମୋର ଚଉପାଶରେ 
ସତେ ଯେମିତି ମୁଁ ଏକ ମହୁଫେଣା 
ମୁଁ କହେ 
ଏଇ ମୋର ଆଖିର ନିଆଁ 
ଏଇ ମୋର ଦାନ୍ତର ଚମକ 
ଏଇ ମୋର କଟୀର ଦୋଳନ 
ଏଇ ମୋର ପାଦର ଗମକ 
 ସବୁ କିଛି ଅସାଧାରଣ 
ସେଇ ଅସାଧାରଣ ସ୍ତ୍ରୀଲୋକ, ମୁଁ । 
 
ପୁରୁଷମାନେ ଭାବି ହୁଅନ୍ତି 
ସେମାନେ କଣ ଦେଖନ୍ତି ମୋ ଭିତରେ 
ବହୁ ଚେଷ୍ଟା ପରେ ବି ସେମାନେ 
ଛୁଇଁ ପାରନ୍ତି ନାହିଁ ମୋର 
ଗୋପନତମ ରହସ୍ୟକୁ 
ମୁଁ ତାଙ୍କୁ ଦେଖାଇବାକୁ ଚେଷ୍ଟା କରେ ମୋର ଆଭ୍ୟନ୍ତର 
ତଥାପି ସେମାନେ ଭେଦି ପାରନ୍ତି ନାହିଁ
ମୋର ରହସ୍ୟକୁ 
ମୁଁ କହେ,
ସେ ରହସ୍ୟ ଅଛି 
ମୋର ମେରୁଦଣ୍ଡର ବକ୍ରରେଖାରେ 
ମୋ ହସର ସୂର୍ଯ୍ୟାଲୋକରେ 
ମୋ ସ୍ତନର ତୁଙ୍ଗିମାରେ 
ସେଇ ମୋର ଠାଣିର ଗରିମା 
ସବୁ କିଛି ଅସାଧାରଣ 
ସେଇ ଅସାଧାରଣ ସ୍ତ୍ରୀଲୋକ, ମୁଁ । 
 
ଏବେ ବୁଝୁଛ ତ 
କାହିଁକି ମୁଁ କେବେ ହେଲେ ଠିଆ ହୁଏନି ହେଠମାଥ ହୋଇ 
ମୁଁ ପାଟି କରେନା, ଡିଆଁ ଡେଇଁ କରେନା 
କି ଚିତ୍କାର କରେନା 
ତୁମ ପାଖ ଦେଇ ମୋର ଚାଲିଯିବା 
ତୁମ ପାଇଁ ହୁଏ ଗର୍ବର କାରଣ 
ମୁଁ କହେ 
ସେଇଟା ମୋର ଜୋତାର ଶବ୍ଦ 
ସେଇଟା ମୋର କେଶର ଚୂର୍ଣ୍ଣିକା 
ସେଇଟା ମୋର ହାତର ପାପୁଲି 
ସେଇଟା ତମ ଲାଗି ମୋ ଯତ୍ନର ଆବଶ୍ୟକତା 
ସବୁ କିଛି ଅସାଧାରଣ 
ସେଇ ଅସାଧାରଣ ସ୍ତ୍ରୀଲୋକ, ମୁଁ । 

Leave a comment