
ଇତିହାସ
ବେଶ୍ ବୟସ ହେଲାଣି
ସେ କିନ୍ତୁ ପାଟରାଣୀ,
ଠିକ୍ ତାହା ଭଳି ଦୁଃଖଟିଏ
ମୋ ଭିତରେ ରାଜୁତି କରୁଛି
ଆଉ ଅସଲ କଥାଟି ହେଲା ଯେ
ସେ ନିଜର ବନ୍ଦ କବାଟ
ଜମା ଖୋଲିବ ନାହିଁ,
ଗୁମସୁମ୍, ଶୂନ୍ୟ ଉଆସ
ତାହାର ପ୍ରିୟତମ ନିବାସ ସବୁବେଳେ,
ଘଡ଼ିଟିଏ ହେଉ ପଛକେ ତାହାର
ଆଉ କାହା ସହ କିଛି ବି
କଥାବାର୍ତ୍ତା ନାହିଁ ।
ଯେତେକ ଅଛନ୍ତି ଷୋଡଶୀ ଅସୁଖ
ସଭିଏଁ ତାହାର ପରିଚର୍ଯ୍ୟାରେ ଭାରି ବ୍ୟସ୍ତ,
ତାହାର କୋପ-ଭବନକୁ ଏମିତିରେ
ଟିକିଏ ଚାହିଁବାକୁ କାହାର ତର ନାହିଁ ।
ନିଜ ଭିତରେ ଏକ ଘୂର୍ଣ୍ଣିଝଡ଼କୁ ସମ୍ଭାଳି
ଘୋଘୋ ରାଣୀ ଖେଳୁଥାଏ
ଆମ ପାଟରାଣୀ ।
ବେଳେବେଳେ ସେହି ଯେ ଚିହ୍ନା ପୁରୁଣା ଦୁଃଖ
ଆସେ ସଂତର୍ପଣରେ, ଝରକା ସେପଟେ
ଉଙ୍କିମାରେ ।
× × × ×
ଜଣେ ଥିଲେ ରାଜା, ଜଣେ ଥିଲେ ରାଣୀ
ଆଖି ବୁଜିଲେ ଦୁଇ ଜଣ,
ଶେଷ କାହାଣୀ ?
ଆରେ ବାବା, ନା, ଏଇଠୁ କାହାଣୀର ତ ଆରମ୍ଭ
ଆମର ଯେଉଁ ଲୋକତନ୍ତ୍ର ଅଛି ସେଥିରେ
ଗଲା ଦରବ ବାହୁଡ଼ି ନଆସେ,
ଆଖିରୁ ଅନ୍ତର ହୋଇଯାଏ ସେସବୁ ଏମିତିରେ
ଭଙ୍ଗା କାନ୍ଥର ଭିତରେ କେଉଁଠି ।
ଧୂଳୀର ଓଢଣୀରେ ବେକମୁହଁ ଢାଙ୍କି
ଏଇଠେ କେଉଁଠି ଶୋଇ ପଡିଥାଏ ସ୍ମୃତି
ପୁରା ଗୋଟିଏ ଜାତିର।
ସ୍ତ୍ରୀ ସୁବୋଧିନୀ: ଉତ୍ତର କଥା: ଶୁର୍ପଣଖା
ଭାବିଲ ଥରେ କେମିତି
ଦୂରଦୂରାନ୍ତରକୁ ଘୋଷାଡ଼ି ହୋଇ ଯାଉଥିବ
କ୍ଷତ-ବିକ୍ଷତ ହରିଣ-ଦେହ ଶୁର୍ପଣଖାର
ନାକ କାନ ବିରତ !
କୁହାଯାଏ, ଯାହା ହେବାକୁ ଥାଏ,
ସବୁ ଘଟ-ଅଘଟରେ
ଗୋଟିଏ ସରୁ ଛାଇ ଭଳି
ଅଙ୍କା ହୋଇଥିବ ସବୁକାଳ ପାଇଁ
ଆକାଶର ଆଖିରେ ।
ଥରେ ଭଲକରି ଦେଖ
ମୁଣ୍ଡ ଟେକି -
ଭୀତ ଆଉ ସ୍ଫୀତ
ଆଖିହଳକ ସ୍ୱପ୍ନଦଗ୍ଧ
ଛଳଛଳ ଆଉ ଥରଥର କେମିତି !
ସବୁ ଘାଆରେ, ଦେଖ,
ଜଳୁଛି ସହମତି
ଲଜ୍ଜାଶିଳା ଜ୍ୱଳନ
ଧାର ଧାର
ପ୍ରବଳ ପ୍ରବାହ
ଯାତ୍ରା ଲାଲ୍ ଲାଲ୍ ରାଗର ।
ଆଉ ଶେଷରେ ରହିଛି ସେଥିରୁ ବିନ୍ଦୁଏ ମାତ୍ର,
ଜୀବନର ଶୁଖିଲା
ଓଠରେ
ଥକା ମାରିବାକୁ ।
ସେତେବେଳକୁ ତାହାର ବୟସ ଷୋହଳ
ଆମ ସମୟର ହୋଇଥାନ୍ତା ଯଦି
ଦେଉଥାନ୍ତା ବୋର୍ଡ ପରୀକ୍ଷା
ଦଶମ ଶ୍ରେଣୀ !
ସାନ୍ତାଳୀ ଝିଅର ସରଳ ଆକର୍ଷଣ
ସହରୀ ଦିକୁ ପ୍ରତି
ଇଏ ଏମିତି କେଉଁ ବଡ଼ କଥା ଥିଲା !
ମୋହ ତ କହିବାକୁ ଗଲେ ଗାଢ଼ ହୋଇଥାଏ
ଏଇ ବୟସରେ
ଫୁଲ ପାଇଁ, କାହାଣୀ ପାଇଁ ଆଉ
ପ୍ରଜାପତି ପାଇଁ ।
ଶୁର୍ପଣଖା,
ତୋତେ କହିବି କହିଲେ କ'ଣ କହିବି !
ତୁ ତ ଛୋଟିଆ ଝିଅଟିଏ
ମୋ ଝିଅ ବୟସର ହବୁ !
ଦୁନିଆ, ଝିଅଲୋ, ଦେଖ୍
ଆଜି ଯାଏଁ ବଦଳିଲା ନାହିଁ !
ଆଜି ବି ବିକଟ ଦିଶେ
ସବୁ ଯାତ୍ରାର କାମନା ମାନ !
ଏଇ ଯେମିତି ଛୋଟିଆ ପର
ଗଜୁରି ଉଠିଲା
ଛୋଟିଆ ଲୋମ ଦେଖାଗଲା ଦେହରେ
ଚାରିଦିଗରୁ
ହୁଙ୍କାରି ଉଠିବେ ତୁଣୀରଧାରୀ,
ଭୋଗରେ ପାଦ ଥାପିଲୁ
କି ପାଦ ଥାପିଲୁ ଯୋଗରେ ।
ହଁ ଲୋ ମାଆ,
ତତେ ଗୋଟିଏ କଥା କହିବାକୁ ଚାହୁଁଛି,
ପୁରୁଷ ସହ ଯୁଦ୍ଧରେ ପୁରୁଷକୁ
ହରାଇବା ନୁହେଁ !
ସବୁ ଆଘାତ ନିଜର ପ୍ରତ୍ୟୁତ୍ତରରେ ଯେତେ
ଆଘାତର ଚତୁରଂଗ ସେନା ସଜାଇଲେ
ଥମିଯାଇପାରେ କେବେ ବି
କୁଟିଳ ଯୁଦ୍ଧର ଏଇ ପର୍ଯ୍ୟାୟ ସବୁ ?