ଇତି ଭିନସେଣ୍ଟ୍

ଆଜି ପୁଣି ଥରେ ଭ୍ୟାନ୍ ଗୋଗ୍’ଙ୍କୁ ମନେ ପକେଇବାର କାରଣ ୨୦୧୭ରେ ମୁକ୍ତିଲାଭ କରିଥିବା ଏକ ଆନିମେଟେଡ୍ ଚଳଚ୍ଚିତ୍ର "ଲଭିଙ୍ଗ ଭିନସେଣ୍ଟ୍" ।

ଭିନସେଣ୍ଟ୍ ଭ୍ୟାନ୍ ଗୋଗ୍ ତାଙ୍କୁ ଭଲ ପାଉଥିବା ମଣିଷ ମାନଙ୍କୁ ମଝିରେ ମଝିରେ ତାଙ୍କ ବିଷୟରେ ମନେ ପକେଇବାକୁ ଏକ ପ୍ରକାର ବାଧ୍ୟ କରନ୍ତି । ଇର୍ଭିଙ୍ଗ୍ ଷ୍ଟୋନ୍’ଙ୍କ ଉପନ୍ୟାସ "ଲଷ୍ଟ୍ ଫର୍ ଲାଇଫ୍" ହେଉ କି ସେହି ବହିକୁ ନେଇ ୧୯୬୫ରେ ଭିନସେଣ୍ଟ୍ ମିନେଲି’ଙ୍କ ଦ୍ୱାରା ନିର୍ଦ୍ଦେଶିତ ଚଳଚ୍ଚିତ୍ର "ଲଷ୍ଟ୍ ଫର୍ ଲାଇଫ୍" ହେଉ, ଭ୍ୟାନ୍ ଗୋଗ୍’ଙ୍କ ୩୭ ବର୍ଷର ଜୀବନୀ ଓ ଜୀବନ ଚର୍ଯ୍ୟା ସବୁବେଳେ ଅନ୍ୟମାନଙ୍କୁ ଆକର୍ଷିତ କରେ । ଜୀବନରେ ଚିତ୍ରଶିଳ୍ପୀ ହେବାର ନିଷ୍ପତ୍ତି ନେବାର ପ୍ରାକ୍ କାଳରେ ହୁଏତ କ୍ୱଚିତ୍ କିଛି ଚିତ୍ରଶିଳ୍ପୀ ଥିବେ, ଯିଏ କି ଭ୍ୟାନ୍ ଗୋଗ୍’ଙ୍କ ଜୀବନ ଶୈଳୀ ଦ୍ୱାରା ପ୍ରଲୁବ୍ଧ ହୋଇନଥିବେ ଓ ସେଥିରୁ କିଛି ନିଜ ଜୀବନ ଚର୍ଯ୍ୟାରେ ପରୀକ୍ଷା କରି ନଥିବେ । 

ଆଜି ପୁଣି ଥରେ ଭ୍ୟାନ୍ ଗୋଗ୍’ଙ୍କୁ ମନେ ପକେଇବାର କାରଣ ୨୦୧୭ରେ ମୁକ୍ତିଲାଭ କରିଥିବା ଏକ ଆନିମେଟେଡ୍ ଚଳଚ୍ଚିତ୍ର "ଲଭିଙ୍ଗ ଭିନସେଣ୍ଟ୍" । "ଲଭିଙ୍ଗ ଭିନସେଣ୍ଟ୍" ହେଉଛି ପୃଥିବୀର ସର୍ବପ୍ରଥମ ସମ୍ପୂର୍ଣ୍ଣ ଭାବେ ହାତରେ ଅଙ୍କା ଯାଇଥିବା ଏକ ପୂର୍ଣ୍ଣାଙ୍ଗ ଫିଚର୍ ଧର୍ମୀ ଚଳଚ୍ଚିତ୍ର । ଚଳଚ୍ଚିତ୍ରର କିଛି ଅଂଶ ଟିଜର୍ କିମ୍ବା ଅଫିସିଆଲ୍ ଟ୍ରେଲର୍ ଭାବରେ ଅନେକ ଥର ଫେସ୍ବୁକ୍ ପୃଷ୍ଟାରେ ଦେଖିଛି । ଏବେ ପୁରା ଚଳଚ୍ଚିତ୍ରଟିକୁ ଦେଖିଲି । ଚଳଚ୍ଚିତ୍ରର ବିଶେଷତ୍ୱଟି ହେଲା, ୯୫ ମିନିଟ୍ ଅବଧିର ଏହି ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ଭାବେ ଭ୍ୟାନ୍ ଗୋଗ୍’ଙ୍କ ପୋଷ୍ଟ୍ ଇମ୍ପେ୍ରସନିଷ୍ଟ୍ ବାଗରେ ଅଙ୍କା ତାଙ୍କ ଛବିମାନଙ୍କ ଶୈଳୀରେ ଅଙ୍କାଯାଇଥିବା ଶହ ଶହ ଛବିମାନଙ୍କୁ ନେଇ ଆନିମେଶନ୍ ଟେକ୍ନିକ୍ ରେ ନିର୍ମାଣ କରାଯାଇଛି । ସାଢେ ପାଞ୍ଚ ମିଲିୟନ୍ ଖର୍ଚ୍ଚ ହୋଇଥିବା ଏହି ଚଳଚ୍ଚିତ୍ରଟି ପାଇଁ ପ୍ରକୃତରେ ପୃଥିବୀର ବିଭିନ୍ନ କୋଣରେ ଥିବା ୨୦ଟି ଦେଶରୁ ଆସି ୧୨୫ ଜଣ ଚିତ୍ରଶିଳ୍ପୀଙ୍କ ଏକ ଦଳ କ୍ୟାନଭାସ୍ ଉପରେ ତୈଳ ରଙ୍ଗରେ ଛବି ଆଙ୍କିଛନ୍ତି; ଠିକ୍ ଯେମିତି ଓ ଯେଉଁ ବାଗରେ ଭ୍ୟାନ୍ ଗୋଗ୍ ଏକଦା ତାଙ୍କ ଛବି ଆଙ୍କୁଥିଲେ । ଭ୍ୟାନ୍ ଗୋଗ୍’ଙ୍କ ପରି ଚିତ୍ର ଆଙ୍କିବା ଶୈଳୀ ଶିଖିବାକୁ ପ୍ରତି ଚିତ୍ରଶିଳ୍ପୀଙ୍କୁ ପ୍ରାୟ ୧୦୦ଘଣ୍ଟାର ଟ୍ରେନିଂ ନେବାକୁ ହୋଇଥିଲା । ଏଥିପାଇଁ ସାରା ପୃଥିବୀରୁ ୫୦୦୦ ଚିତ୍ରଶିଳ୍ପୀ ଆବେଦନ କରିଥିଲେ । ସେଥିମଧ୍ୟରୁ ମାତ୍ର ୧୨୫ ଜଣଙ୍କୁ ଶେଷକୁ ବଛା ଯାଇଥିଲା । ସମୁଦାୟ ଚଳଚ୍ଚିତ୍ର ପାଇଁ ପାଖାପାଖି ୬୫,୦୦୦ ଛବି ଅଙ୍କା ଯାଇଥିଲା । କିନ୍ତୁ ଛବିର ଫଟୋ ଉଠାଗଲା ପରେ ଛବି ଉପରେ ପୁଣି ଛବି ଅଙ୍କା ଯାଉଥିବାରୁ ପ୍ରୋଜେକ୍ଟ ସରିଲା ବେଳକୁ ଶେଷରେ ମାତ୍ର ୧୦୦୦ ଛବି ବଞ୍ଚିଥିଲା । ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ମଣିଷମାନେ ପ୍ରଥମେ ସବୁଜ ପରଦା ଆଗରେ ଅଭିନୟ କରିଥିଲେ । ପରେ ରୋଟୋସ୍କୋପିଙ୍ଗ୍ ଟେକ୍ନିକ୍ ରେ ସୁଟିଙ୍ଗ୍ ପରେ ଚଳଚ୍ଚିତ୍ରର ପ୍ରତିଟି ଫ୍ରେମ୍ କୁ କ୍ୟାନଭାସ୍ ଉପରେ ଅଙ୍କା ଯାଇଥିଲା । ପ୍ରତି ସେକେଣ୍ଡର ଚଳଚ୍ଚିତ୍ର ପାଇଁ ୧୨ଟି ଫ୍ରେମ୍ ର ଆବଶ୍ୟକତା ଥିଲା । ଅର୍ଥାତ୍ ପ୍ରତି ସେକେଣ୍ଡର ଚଳଚ୍ଚିତ୍ର ପାଇଁ ୧୨ଟି ଛବି । ସେଥିପାଇଁ ଚଳଚ୍ଚିତ୍ରର ନିର୍ମାଣ କାମ ସରିବାକୁ ପ୍ରାୟ ଛଅ ବର୍ଷ ସମୟ ଲାଗିଯାଇଥିଲା । 

ଚଳଚ୍ଚିତ୍ରର କାହାଣୀ ହେଲା, ଭ୍ୟାନ୍ ଗୋଗ୍’ଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁର ଠିକ୍ ବର୍ଷକ ପରେ ତାଙ୍କର ପରମବନ୍ଧୁ ଡାକବାଲା ଜୋସେଫ୍ ରୋଲିଁ (ଯାହାଙ୍କର ପୁରା ପରିବାରର ଛବି ଭ୍ୟାନ୍ ଗୋଗ୍ ଏକଦା ଆଙ୍କିଥିଲେ) ତାଙ୍କ ପୁଅ ଆର୍ମଣ୍ଡକୁ ଗୋଟିଏ ଚିଠି ଧରାଇ, ଚିଠିଟିକୁ ଭ୍ୟାନ୍ ଗୋଗ୍’ଙ୍ଗ  ସାନ ଭାଇ ଥିଓ’ଙ୍କୁ ଦେବା ପାଇଁ କହିଛନ୍ତି  । ଜୋସେଫ୍ ରୋଲିଁ ଭ୍ୟାନ୍ ଗୋଗ୍’ଙ୍କ ଆତ୍ମହତ୍ୟାକୁ ସନ୍ଦେହଜନକ ଭାବୁଥିଲେ । କାରଣ ଆତ୍ମହତ୍ୟାର ଅଳ୍ପ ଦିନ ଆଗରୁ ସେଇ ଚିଠିଟିରେ ଭ୍ୟାନ୍ ଗୋଗ୍ ରୋଲିଁଙ୍କୁ ଲେଖିଥିଲେ ଯେ, ସେ ମାନସିକ ଭାବରେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଚିଠି ଧରି ବଡ ଅନିଚ୍ଛାରେ ଆର୍ମଣ୍ଡ ପ୍ୟାରିସ୍ ଯାତ୍ରା କରିଛନ୍ତି । ଏମିତି ହିଁ ଆରମ୍ଭ ହୋଇଛି ଚଳଚ୍ଚିତ୍ରଟି । ଆର୍ମଣ୍ଡ ପ୍ୟାରିସ୍ ରେ ପହଞ୍ଚି ଜାଣୁଛନ୍ତି ଭ୍ୟାନ୍ ଗୋଗ୍’ଙ୍କ ଆତ୍ମହତ୍ୟାର ଛଅ ମାସ ପରେ ତାଙ୍କ ଭାଇ ଥିଓ ମରି ସାରିଛନ୍ତି । ତାପରେ ଆର୍ମଣ୍ଡ ଜଣଙ୍କ ପରେ ଜଣେ ଲୋକଙ୍କୁ ଭେଟୁଛନ୍ତି । ଏକଦା ଭ୍ୟାନ୍ ଗୋଗ୍ ରହୁଥିବା ହୋଟେଲ୍ ରେ ରାତ୍ରି ଯାପନ ବି କରୁଛନ୍ତି । ଶେଷରେ ଥିଓ’ଙ୍କ ସ୍ତ୍ରୀ’ଙ୍କ ପାଖରେ ବାପା ଦେଇଥିବା ଟିଠିଟି ପହଞ୍ଚାଇ ଦେବା ପାଇଁ ଭ୍ୟାନ୍ ଗୋଗ୍’ଙ୍କୁ ତାଙ୍କ ଜୀବନର ଶେଷ ସମୟ ତକ ଚିକିତ୍ସା କରୁଥିବା ଡାକ୍ତର Dr. Gachet ହାତରେ ଦେଇ ଫେରି ଆସୁଛନ୍ତି । ଆର୍ମଣ୍ଡ ଘରକୁ ଫେରିଲା ପରେ ଥିଓ’ଙ୍କ ବିଧବା ପତ୍ନୀଙ୍କ ପାଖରୁ ଧନ୍ୟବାଦ ଚିଠି ଗୋଟେ ପାଉଛନ୍ତି । ଥିଓ’ଙ୍କ ପତ୍ନୀ ଜୋହାନା ଧନ୍ୟବାଦ ଚିଠି ସହିତ ଭ୍ୟାନ୍ ଗୋଗ୍ ତାଙ୍କ ପାଖକୁ ଲେଖିଥିବା ଗୋଟେ ହାତଲେଖା ଚିଠି ମଧ୍ୟ ସଂଲଗ୍ନ କରି ପଠେଇଛନ୍ତି, ଯେଉଁ ଚିଠିର ଶେଷରେ ଲେଖାଅଛି “Your Loving Vincent”। 

ଚଳଚ୍ଚିତ୍ରକୁ ଦୁଇ ଜଣ ନିର୍ଦ୍ଦେଶକ ନିର୍ଦ୍ଦେଶନା ଦେଇଛନ୍ତି । Dorota Kobiela (1978) ଏବଂ Hugh Stewart Jasper Welchman (1975) । ପ୍ରକୃତରେ ୨୦୦୮ ମସିହାରେ Dorota ପ୍ରଥମ କରି ଭ୍ୟାନ୍ ଗୋଗ୍ ଦୁଇ ଭାଇଙ୍କ ମଧ୍ୟରେ (ଭିନସେଣ୍ଟ୍ ଭ୍ୟାନ୍ ଗୋଗ୍, ଥିଓ ଭ୍ୟାନ୍ ଗୋଗ୍) ପାରସ୍ପରିକ ଆଦାନପ୍ରଦାନ ହୋଇଥିବା ଚିଠିକୁ ନେଇ ସଙ୍କଳିତ “ଲେଟର୍ ଟୁ ଥିଓ” ବହି ପଢି ଏମିତି ଏକ ଧାରଣାରେ ସାତ ମିନିଟ୍ ର ଏକ ଚଳଚ୍ଚିତ୍ର ତିଆରି କରିଥିଲେ ।ଏଠାରେ କହିରଖେ ଯେ, Dorota ନିଜେ ଜଣେ ଚିତ୍ରଶିଳ୍ପୀ ମଧ୍ୟ ।

ଅନେକ ଆର୍ନ୍ତଜାତୀୟ ଚଳଚ୍ଚିତ୍ର ସମ୍ମାନ ପାଇଥିବା ଏହି ଆନିମେଟେଡ୍ ଚଳଚ୍ଚିତ୍ରଟି ଆପଣଙ୍କୁ ନିଶ୍ଚୟ ଭଲଲାଗିବ । କିନ୍ତୁ ଦେଖିଲା ବେଳେ ଏତିକି ମନେ ରଖିବାକୁ ହେବ ଯେ, ଚଳଚ୍ଚିତ୍ରର ପ୍ରତିଟି ଫ୍ରେମ୍ ହାତରେ ଅଙ୍କା ଯାଇଛି । ତା’ ପୁଣି ଆମ ପ୍ରିୟ ଭିନସେଣ୍ଟ୍ ଭ୍ୟାନ୍ ଗୋଗ୍’ଙ୍କ ଛବି ଅଙ୍କାର ଅବିକଳ ସ୍ୱକୀୟ ଧାରାରେ ।


Leave a comment