ଅସହାୟ ଶୈଶବ

ସତରେ! ଭାବିଲେ ଦେଖି କେତେ ମହାନ୍ ଆମେମାନେ! ସମ୍ଭାବନା ସବୁକୁ ମାଡ଼ିମକଚି ବିଦାରି ସାରିବା ପରେ କେତେ ଖୁସି ସମସ୍ତେ! ପିଲାଟିକୁ ପୋଷା ମନେଇପାରିବାର ଗର୍ବରେ ନିଶ୍ଚୟ ଫୁଲି ଉଠୁଥିବ ଆମର ଛାତି... ସୁନ୍ଦର କଢ଼ିଟେ ଫୁଟିବା ଆଗରୁ ପୋକ ଲାଗିବା ପାଇଁ ସବୁ ବ୍ୟବସ୍ଥାଗୁଡିକୁ କରିସାରି ଅସନା ଦେଖାଯାଉଛି କହି ଛିଡ଼ାଇ ଫିଙ୍ଗି ଦେଉଥିବା ବେଳେ ନିହାତି ବଡ଼ ମନେ କରୁଥିବା ଆମେ ନିଜକୁ । ନାଁ କ’ଣ କହୁଛନ୍ତି ?

ନିଶ୍ୱାସ ନେଇପାରୁ ନଥାଏ ମିନୁ । ତା’ ଛାତି ପାଖରେ କ’ଣ ଗୋଟାଏ ଅଟକି ଗଲା ପରି ଲାଗୁଥାଏ ଯେ ସେ ମୋତେ ଜାବୋଡ଼ି ଧରୁଥାଏ । ମୋତେ ଖୁବ୍ ବ୍ୟସ୍ତ ଲାଗୁଥାଏ । ମୁଁ ବାଇକରେ ତାକୁ ଡାକ୍ତରଖାନା ନେଇ ଯିବା ପାଇଁ ପ୍ରସ୍ତୁତ ଥାଏ କିନ୍ତୁ କାଳେ ଯିବାରେ ଅସୁବିଧା ହେବ ବୋଲି ସ୍କୁଲର ଜଣେ ଶିକ୍ଷକ ସଙ୍ଗେ ସଙ୍ଗେ କାର୍ ଗୋଟେ ଡାକି ଦେଲେ । ଆମେ ଅଧଘଣ୍ଟାଏ ଭିତରେ ପାଖ ଡାକ୍ତରଖାନାରେ ପହଞ୍ଚିଗଲୁ । ହେଲେ ତାକୁ ଦେଖିବ କିଏ...?? ନର୍ସମାନେ...?? ସେମାନେ ଆସି ଶୋଇଥିବା ମିନୁକୁ ଦେଖିଦେଇ କିଛି ପଚାରିବା ଆଗରୁ କି ମୁଁ କିଛି କହିବା ପୂର୍ବରୁ ହିଁ ମୁରୁକି ହସିଲେ । କହିଲେ, ଯୁକ୍ତ ଦୁଇର ପିଲା ବୋଧେ । କିଛି ହୋଇନି ମ ତା’ର । ଏ ଅଲଗା ରୋଗ... ତୁମେ ବ୍ୟସ୍ତ ହେବା ଦରକାର ନାହିଁ । ଏତକ କହି କିଛି ବ୍ୟସ୍ତତା ନଦେଖେଇ ସେମାନେ ଚାଲିଗଲେ । ଆମ ରହିବାର ଦୁଇ ତିନି ଘଣ୍ଟା ଭିତରେ ମିନୁକୁ ଫିଙ୍ଗିଲା ପରି କଥାବାର୍ତ୍ତା, ନାକଟେକା, ମୁରୁକି ହସା ଓ ଆଗଠୁ ଟିକେ ଭଲ ଶୁଣା ଯାଉଥିବା ଗୋଟେ ରୋଗର ନାଁ ‘ସୋମାଟାଇଜେସନ୍ ଡିଜଅର୍ଡର୍’ ଶୁଣି ଶୁଣି ମୋତେ ଅତିଷ୍ଟ ଲାଗିଲା । ମିନୁର କଷ୍ଟକୁ ନ ଦେଖି, ପାଖକୁ ନଆସି ତାକୁ ଆଡେ଼ଇ ଦେଇ ଚାଲିଯିବାଟା ମୋତେ ଅସହ୍ୟ ମନେହେଲା । ଭିତରେ କେଉଁଠି ଠାଏ ଚାଏଁ କିନା ଲାଗିଲା । ମନେ ପଡ଼ିଗଲା ତିନି ବର୍ଷ ତଳର ସେଇ ଉଜାଗର ରାତିଟିର କଥା । ମନେ ପଡ଼ିଗଲା ନବମ ଶ୍ରେଣୀରେ ପଢୁଥିବା ସେଇ ସରଳ, ନୀରିହ ଝିଅଟିର କଥା । ଚିକୁର କଥା ।

ଠିକ୍ ସେଇ ଦୁର୍ଦିନଟାରେ ହିଁ ଚିକୁ ରହୁଥିବା ଆବାସିକ ବିଦ୍ୟାଳୟଟିକୁ ମୋତେ ଯିବାକୁ ହୋଇଥାଏ । କିଛି ଦିନ ଧରି ସେଠାରେ ରହି ବିକଳ୍ପ ଶିକ୍ଷାର ପ୍ରୟୋଗ ଲାଗି କିଛି ଉପାୟ ସେଠାକାର ଶିକ୍ଷକମାନଙ୍କୁ ଜଣେଇବାର ଥାଏ ମୋର । ଦିନସାରା ସେଠାରେ ଅଭିଭାବକ ଓ ଅତିଥିଙ୍କ ମେଳରେ କୁନି କୁନି ପିଲାଙ୍କର ବିଜ୍ଞାନ ମେଳା ଓ ଆୟୋଜିତ ପ୍ରଦର୍ଶନୀର ମଜା ନେଉ ନେଉ ଥକି ପଡ଼ିଥାଏ ରାତି ବେଳକୁ । 

ଠିକ୍ ରାତି ନଅଟା ବେଳେ ଚିକୁର ଚିତ୍କାର ଶୁଣି ବିକଳ୍ପ ଶିକ୍ଷା ପ୍ରୟୋଗରେ ବିଶ୍ୱାସୀ ଦୁଇ ଯୁବ ଶିକ୍ଷକ ସୁଜୟ, ବିଶ୍ୱ ଓ ମୁଁ ଧାଇଁଗଲୁ । ଚିକୁ ନିଜ ମୁଣ୍ଡର ଚୁଟିକୁ ଦୁଇ ହାତରେ ମୁଠେଇ ଭିଡ଼ି ଧରି ଛାଟିପିଟି ହୋଇ ତଳେ ଗଡୁଥାଏ । ଆମେ ତିନି ହେଁ ତାକୁ ଧରିଲେ ବି ଆମ ମୁଠାରୁ ହାତ ଖସେଇ ନେଇ ସେ ମୁଣ୍ଡକୁ ଚାପି ଧରୁଥାଏ । ସୁଜୟ ଓ ବିଶ୍ୱଙ୍କୁ ଚିକୁ ପାଖରେ ଛାଡ଼ିଦେଇ ମୁଁ ତା ରୁମ୍ ରେ ସାଙ୍ଗ ହୋଇ ରହୁଥିବା ପିଲାଙ୍କ ପାଖକୁ ଆସିଲି ଚିକୁ କଥା ପଚାରିବାକୁ । ସେମାନେ ବେଳଓଳି ଖାଇବା ପରଠୁ ଚିକୁର ମୁଣ୍ଡ ବିନ୍ଧୁଥିଲା ଆଉ ଏବେ ଟିକିଏ ବଢ଼ି ଯାଇଛି ବୋଲି କହିଲେ । ତାଙ୍କଠାରୁ ଏତକ ଖବର ନେଇସାରି ମୁଁ ପୁଣି ଚିକୁ ପାଖକୁ ଆସି ତା’ ପାଖରେ ବସି ତାକୁ ଭିଡ଼ି ଧରି ହାତରେ ତା’ର ଆକ୍ୟୁପ୍ରେସର୍ ଦେଲି । ସୁଜୟ ଗଲା ଗାଡ଼ି ଠିକ୍ କରିବାକୁ । ଗାଡ଼ି ବି ଦଶ ମିନିଟ୍ ରେ ପହଞ୍ଚିଗଲା । ଆମେ ତିନିହେଁ ଚିକୁକୁ ନେଇ ଗାଡ଼ିରେ ବସାଇଲୁ । ସେତେବେଳକୁ ତା’ ଦାନ୍ତ ପାଟି ବାରବାର ପଡ଼ି ଯାଉଥାଏ । ଯନ୍ତ୍ରଣାରେ ସେ ଚିତ୍କାର କରୁଥାଏ ରହି ରହି । ଅନବରତ ଲୁହ ଝରୁଥାଏ ତା’ ଆଖିରୁ ।

ଚିକୁର କିଛି ଲୁଗା ଓ ବେଡ଼ସିଟ୍ ଆଣିବାକୁ ରୁମ୍ କୁ ଗଲାରୁ ଚିକୁ ରୁମ୍ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ଜଣକ କହିଲେ, “ସେ ଅଲଗା ରୋଗ... ତୁମେ ସବୁ ପିଲା ଲୋକ ଜାଣିନ... ବୁଝିପାରିବନି... ୟା ପୂର୍ବରୁ ଏଠି ରହୁଥିବା ଜଣେ ରୋଷେୟାର ବି ଏଇ ରୋଗ ଥିଲା ।” କଥାଗୁଡ଼ିକ କହିବା ବେଳେ କେମିତି ଗୋଟେ ଘୃଣାପୂର୍ଣ୍ଣ ଦୃଷ୍ଟିଭଙ୍ଗୀ ଥିଲା ତାଙ୍କର, ଯାହା ଆଦୌ ଭଲ ଲାଗିଲାନି ମୋତେ । ଉତ୍ତର ଫେରେଇବାକୁ କିନ୍ତୁ ମୋ ପାଖରେ ସମୟ ନଥିଲା । 

ଡାକ୍ତରଖାନା ଯିବା ପୂର୍ବରୁ ଥରେ ପରିଚାଳକଙ୍କୁ ଜଣେଇବାକୁ ହେବ ବୋଲି ବିଶ୍ୱ ଓ ମୁଁ ଗଲାବେଳକୁ ସେ କହିଲେ, “ମୁଁ ସବୁ ଶୁଣି ସାରିଛି । ଚିକୁ ର ଶିକ୍ଷୟତ୍ରୀ ଲତା ଦିଦି ମୋତେ ସବୁ କଥା କହି ସାରିଛନ୍ତି । ତୁମେ ତେଣୁ ତାଙ୍କ ଘରଲୋକଙ୍କୁ ଡାକ୍ତରଖାନାକୁ ଡକେଇ ଦିଅ । ସେମାନେ ପହଞ୍ଚିବା ମାତ୍ରେ ତୁମେ ଚିକୁକୁ ସେଇଠି ଛାଡ଼ି ଦେଇ ଫେରି ଆସିବ । ବେଶୀ ସମୟ ରହିବନି । କିଛି ଦରକାର ନାହିଁ ବ୍ୟସ୍ତ ହେବାର ।” ଚଉଦ ପନ୍ଦର ବର୍ଷର ପିଲାଟିଏର ଅସୁସ୍ଥତାକୁ ନେଇ ଏତେ ନିଷ୍ଠୁର କଥା କେହି କେବେ କହିବାର ମୁଁ ଶୁଣି ନଥିଲି କି ଦାୟିତ୍ୱରେ ଥିବା ଜଣେ ଶିକ୍ଷୟିତ୍ରୀ ଅସୁସ୍ଥ ପିଲାଟେ ପାଖରେ ଦଣ୍ଡେ ଘଡିଏ ନବସି ଏମିତି ବୁଲି ବୁଲି ଅସୁସ୍ଥତାର ମଜାକ୍ ଉଡେଇବାର ବି ଦେଖିନଥିଲି । ତେଣୁ ଆଶ୍ଚର୍ଯ୍ୟ ଲାଗିଲା । ଆଖିର ପଲକ ନପକେଇ କେଇ କ୍ଷଣ ବଡ଼ ବଡ଼ ଆଖି କରି ମୁଁ ଅନେଇ ରହିବାରୁ ପରିଚାଳକ କହିଲେ; “ଚିକୁର ଶିକ୍ଷୟିତ୍ରୀ କହୁଥିଲେ ତା’ ଲକ୍ଷଣ ସବୁ ହିଷ୍ଟ୍ରିଆର, ତୁମର ସେସବୁ କିଛି ବୁଝିବାର ଦରକାର ନାହିଁ, ତାଙ୍କ ଘର ଲୋକଙ୍କ ପାଖରେ ତାକୁ ପହଞ୍ଚାଇ ଦେଇ ଖାଲି ଫେରିଆସ ।”

ଏସବୁ କଥା ଏମିତି ଢଙ୍ଗରେ ଶୁଣି ମୋତେ ଯେତିକି ରାଗ ଲାଗୁଥାଏ ସେତିକି ଅସହାୟ ବି ଲାଗୁଥାଏ । କିନ୍ତୁ ଭାବାବେଗର ବଶବର୍ତ୍ତୀ ହୋଇ କିଛି କରିଥିଲେ ଚଳିନଥାନ୍ତା ବୋଲି ବୋଧେ ଧୈର୍ଯ୍ୟ ଧରି ଡାକ୍ତରଖାନା ଗଲି । ଦୁଇ ତିନୋଟି ପେନ୍ କିଲର୍ ଓ ଗୋଟିଏ ସାଲାଇନ୍ ନେବା ପରେ ଚିକୁ ସୁସ୍ଥ ହୋଇଯିବାରୁ ରାତି ଗୋଟାଏରେ ତାକୁ ସାଙ୍ଗରେ ଧରି ଫେରିଲୁ ସମସ୍ତେ । ଡାକ୍ତର କହିଲେ “ମାଇଗ୍ରେନ୍”। ସ୍କୁଲ୍ କୁ ଫେରିବା ପରେ ପୁଣି ଭେଟ ହେଲେ ସେଇ ଲତା ଦିଦି ଓ ପରିଚାଳକ । ସେଇ ଏକା କଥା... “କ’ଣ ପାଇଁ ତାକୁ ଘରକୁ ନ ପଠାଇ ଏଠାକୁ ଆଣିଲ” ବୋଲି ପ୍ରଶ୍ନ ।

ଖୁବ୍ ଅସ୍ଥିର ଲାଗିଲା ମୋତେ । ସମସ୍ତେ ଖାଇବାକୁ ଗଲେ ଯେ ମୋତେ ଆଉ ଇଚ୍ଛା ହେଲାନି । ଚିକୁକୁ ତା’ ବିଛଣାରେ ଶୁଆଇ ଦେଇ ମୁଁ ସିଧା ଗେଷ୍ଟ ରୁମ୍ କୁ ଫେରିଆସି ଲାପଟପ୍ ଖୋଲିଲି । ଇଣ୍ଟରନେଟ୍ ରେ ଉଭୟ ହିଷ୍ଟ୍ରିଆ ଓ ମାଇଗ୍ରେନ୍ କ’ଣ ଖୋଜୁ ଖୋଜୁ ରାତି ପାହିଗଲା । ୱିକିପେଡ଼ିଆରେ ରୋଗଟିର କାରଣ ଥିଲା; ଅତ୍ୟଧିକ ଭାବପ୍ରବଣତାକୁ ସଠିକ୍ ଭାବେ ପରିଚାଳନା କରିପାରିବାର ଅଭାବ ଓ ଅତିରିକ୍ତ ବା ଅନିୟନ୍ତ୍ରିତ ଭାବାବେଗ । ଏବଂ ମାଇଗ୍ରେନ୍ ହେଉଛି ଆମର ସବୁଦିନିଆ ମୁଣ୍ଡବିନ୍ଧା (ଯାହାକୁ ଆମେ ବଡ଼ମାନେ ପାଞ୍ଚ ମିନିଟ୍ ବି ସହି ନପାରି ଔଷଧ ଖାଇ ଦିଅନ୍ତି) ଠାରୁ ଦଶ ହଜାର ଗୁଣ ଅଧିକ ଯନ୍ତ୍ରଣା ହେଉଥିବା ଏକପ୍ରକାର ମୁଣ୍ଡବିନ୍ଧା । 

ମୁଁ ଡକ୍ଟର ନୁହେଁ ତେଣୁ ରୋଗ ବିଷୟରେ ବେଶି କିଛି କହିବାକୁ ଚାହୁଁନି । ମୁଁ କେବଳ ପିଲାଟିର ମନସ୍ତତ୍ତ୍ୱ କଥା କହିବାକୁ ଚାହୁଁଛି । ମୁଁ ଖୁବ୍ ବିନମ୍ରତାର ସହ କେଉଁ ନା କେଉଁ ଅବସରରେ ଥରେ ଅଧେ ହେଉନା କାହିଁକି ପିଲାଙ୍କ ସଂସ୍ପର୍ଶରେ ଆସିଥିବା ସବୁ ମଣିଷମାନଙ୍କୁ ପଚାରିବାକୁ ଚାହୁଁଛି, ଏ ଅପମାନ ଚିକୁକୁ ସହିବାକୁ ବା କାହିଁକି ହେଲା ? କ’ଣ ଝିଅଟିଏ ବୋଲି ? ନା ପିଲାଟିଏ ବୋଲି ? ନା ଚିକିତ୍ସା ଲାଗି ତାକୁ ଯିବାକୁ ହେଲା ବୋଲି ? ନା ଆମ ପାଖରେ ମାଲିକାନା ଅଛି ବୋଲି ? ନା ଆମେ ମୁରବୀ ବୋଲେଇ ହେବାରେ ନିପୁଣ ବୋଲି ?

ଯେତେବେଳେ ଲତା ଦିଦି ଚିକୁକୁ ବିଦ୍ୟାଳୟରୁ ବାହାର କରିଦେବାକୁ ପରିଚାଳକଙ୍କ ପାଖରେ ଫେରାଦ୍ ହେଲେ ସେତେବେଳେ ସେଠାକାର ଅନ୍ତେବାସୀ ନହେଲେ ବି ଜଣେ ମନୋବିଜ୍ଞାନୀ ଓ ଶିକ୍ଷାବିତ୍ ଭାବରେ ମୁଁ ତାଙ୍କ ସହ କଥା ହେଲି । ସେ ଏତେ ଉତ୍ତ୍ୟକ୍ତ ହୋଇ କଥା ସବୁ କହିଲେ ଯେ ମୁଁ ବାଧ୍ୟ ହୋଇ ତାଙ୍କୁ ହିଷ୍ଟ୍ରିଆର ଡେଫିନେସନ୍ ଜଣେଇଲି । କହିଲି ବି ଯଦି ଭାବାବେଗକୁ ନିୟନ୍ତ୍ରଣ କରିବାରେ ଚିକୁ ଅକ୍ଷମ ତେବେ ଆପଣ ବି ଭାବାବେଗକୁ ନିୟନ୍ତ୍ରଣ କରିବାରେ ଅକ୍ଷମ । ତେଣୁ ଦେଖିବାକୁ ଗଲେ ଆପଣ ବି ଜଣେ ହିଷ୍ଟ୍ରିଆ ରୋଗୀ । ଏତକ ଶୁଣି ସେ ଭୀଷଣ ଉତକ୍ଷିପ୍ତ ହୋଇଗଲେ । ପରିପ୍ରେକ୍ଷୀର ମୋଡ ନିଜ ଆଡକୁ ମୁହେଁଇ ଗଲେ ବଡ଼ମାନେ ସବୁବେଳେ ଏମିତି ଧରାପଡି ଯାଆନ୍ତି ।

ଏ ଘଟଣାର ମାସେ ଦୁଇ ମାସ ପରେ ମୁଁ କାମ ସାରି ଫେରି ଆସିଥିଲେ ବି ଚିକୁର ଖବର ବୁଝିବାକୁ ଫୋନ୍ କରିଥିଲି ବିଶ୍ୱକୁ । ସେ କହିଲା ଯେ ଚିକୁର ନ୍ୟୁରୋଲୋଜି ଅସୁବିଧା ଅଛି, ମାଇଗ୍ରେନ୍ ବି ଅଛି । ଭୁବନେଶ୍ୱରର ଡଃ ମହାପାତ୍ର, ଯିଏ ଓଡ଼ିଶାର ସବୁଠୁ ଭଲ ନ୍ୟୁରୋଲୋଜିଷ୍ଟ ସେ ଏବେ ତା’ର ଚିକିତ୍ସା କରୁଛନ୍ତି । ମୋ ଆସିବାର କିଛିଦିନ ପରେ ଲତା ଦିଦି କାହାରି କଥା ନଶୁଣି ଚିକୁକୁ ବିଦ୍ୟାଳୟରୁ ବାହର କରି ଦେଇଛନ୍ତି । ସେ କେବଳ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବାକୁ ଆସିବ ଯାହା । ଶୁଣି ଖୁବ୍ ଦୁଃଖ ହେଲା । ଓଡିଶାରେ ବିକଳ୍ପ ଶିକ୍ଷା ପ୍ରୟୋଗ ପାଇଁ ଏମିତି ଶିକ୍ଷକ ଓ ପରିଚାଳକମାନଙ୍କୁ ଯେ ମୁଁ ସତରେ ରାଜି କରେଇପାରିବି ସେ ବିଶ୍ୱାସ ମୋର କ୍ଷୀଣ ହୋଇ ଆସିଲା । 

ଇଚ୍ଛା ହେଲା ଚିକୁର ଶିକ୍ଷୟିତ୍ରୀଙ୍କୁ ପୁଣି ଥରେ ଭେଟିବା ପାଇଁ । ଭାବୁଥାଏ ଏଇମାନେ ହିଁ ସବୁଠୁ ବଡ଼ ରୋଗୀ, ଯିଏ କିଛି ନଜାଣି, ନବୁଝି ବି ପିଲାଙ୍କୁ ଅପରାଧୀ ପରି ବ୍ୟବହାର କରନ୍ତି। 

ମନେପଡ଼ିଗଲା ଚିକୁର ଗୋଲ ଗୋଲ ଅକ୍ଷର...କଳ୍ପନାର ଖିଅ... ସୁନ୍ଦର, ସାବଲୀଳ ଭାଷା... ସବୁ କାମ ପରେ ବି ସମୟ ବାହାର କରି ଲାଇବ୍ରେରୀ ବହି ପଢିବାରେ ଥିବା ତା’ର ଆଗ୍ରହ... ମଣିଷର କୁଟିଳ ଚିନ୍ତା ସ୍ପର୍ଶ କରିପାରି ନଥିବା ତା’ର ସରଳ, ସୁନ୍ଦର ମନ... ପରିବେଶ ପରିଷ୍କାରଠୁ ଆରମ୍ଭ କରି ବଗିଚା କାମ, ଅତିଥି ଚର୍ଚ୍ଚାରେ ଆଗଭର ଥିବା ତା’ ମାପଚୁପ ସମୟ... ତା’ ସମୟାନୁବର୍ତ୍ତିତା... ପ୍ରତିଟି କାର୍ଯ୍ୟକୁ ସ୍ୱୟଂସମ୍ପୂର୍ଣ୍ଣ କରୁଥିବା ତା’ ନିଖୁଣତା... ଅଭିନୟ ଭିତରେ ବୁଡ଼ି ଯାଉଥିବା ତା’ ଦରଦୀ ହୃଦୟ... ଚିତ୍ର ଆଙ୍କିବାରେ ଥିବା ତା’ର ନିପୁଣତା... ସବୁ କଥାରେ ଓ କାମରେ ତା’ର ହଁ କହିବାର ସାହସ... ସାନ ପିଲାଙ୍କ ଠୁଁ ଆରମ୍ଭ କରି ଛୋଟ ଛୋଟ ଜୀବଜନ୍ତୁଙ୍କ ପ୍ରତି ଥିବା ତା’ର ଉଦାରତା ଓ ସ୍ନେହ... ବଡ଼ମାନଙ୍କୁ କେବେ ବି ଉତ୍ତର ଫେରାଉନଥିବା ତା’ର ନମ୍ରତା... ସମସ୍ତଙ୍କ ସହ ଥିବା ତା’ର ବନ୍ଧୁତା...ଏମିତି କେତେ ନା କେତେ କଥା । ଚିକୁର ଭଲଗୁଣ ବିଷୟରେ ମୋତେ କେହି ପଚାରିଲେ ମୁଁ ଅନ୍ତତଃ ଘଣ୍ଟାଟିଏ ଅନର୍ଗଳ କହିପାରିବି ଅନାୟାସରେ । କେବଳ ଚିକୁ କାହିଁକି ମୁଁ ସଂଶ୍ଳୀଷ୍ଠଥିବା ସବୁ ବିଦ୍ୟାଳୟର ସବୁ ପିଲାଙ୍କର ଭଲ ଗୁଣ ସବୁ କହିପାରିବି ଏମିତି ।

ସତୁରୀ, ଅଶୀ ପିଲାଙ୍କ ଭିତରେ ଚମକି ଉଠୁଥିବା ଚିକୁର ବ୍ୟକ୍ତିତ୍ୱ ପାଖରେ ଥରେ ଏସବୁ ଘଟଣାକୁ ଯୋଡ଼ି ଦେଖିବା ନିଶ୍ଚୟ... ଶିକ୍ଷକ ଓ ଅଭିଭାବକମାନେ ପରଖିବା ଆପଣାର ଯୋଗ୍ୟତା ସହ ପିଲାଟିକୁ...  ହିସାବ କରିବା ଆମେ ସତରେ କେତେ ମାତ୍ରାରେ ଯୋଗ୍ୟ ଏଇ ପିଲାମାନଙ୍କ ପାଇଁ...??

ମୋର କିନ୍ତୁ ଚିରକାଳ ଡର ଥିଲା ଚିକୁର ନୀରିହତାକୁ । ଯଦି ସେ କେବେ ଜାଣିବାକୁ ପାଏ, ସେ ଖୁବ୍ ଭଲ ପାଉଥିବା ଓ ବିଶ୍ୱାସ କରୁଥିବା ଶିକ୍ଷକମାନେ ତା’ ବିଷୟରେ ଏମିତି କହୁଛନ୍ତି କି ଭାବି ପାରୁଛନ୍ତି ବୋଲି ତା’ର ଆଉ ବିଶ୍ୱାସ ରହିବ ତ ଚାରିପାଖର ପୃଥିବୀ ଉପରେ...???

ସେମିତି ସବୁ ଡର ମୋ ସାଙ୍ଗରେ ଥାଆନ୍ତି ତିନି ବର୍ଷ ଧରି । ସେଦିନ ତା’ ଗାଁ ଆଡେ଼ ବୁଲି ଯାଇଥିଲି ଯେ ତାକୁ ଭେଟି ଏ ଭୟର ବୋଝଟା ସେଇଠି ଓହ୍ଲାଇ ଦେଇଆସିବି ବୋଲି ଭାବିଲି । ଚିକୁର ଘରେ ପହଞ୍ଚିଲା ବେଳକୁ ଗୋଟେ କାଳି ହାଡୁଆ ଝିଅଟେ ବାହାରି ଆସିବାର ଦେଖିଲି । ତାକୁ ବାଟ କାଟି ଭିତରକୁ ଯିବା ବେଳକୁ ସେ ମୋ ନାଁ ଧରି ଡାକିଦେଇ କୁଣ୍ଢେଇ ପକାଇଲା ମୋତେ । ସେ ଚିକୁ ବୋଲି ଆଦୌ ବିଶ୍ୱାସ ହେଲାନି ମୋର । ସଫା ଗୋରା ନହେଲେ ବି ବାଦାମୀ ରଙ୍ଗର ଦେହ ତା’ର । ଶୁଣିଥିଲି ସେ ଯୁକ୍ତ ଦୁଇ ବିଜ୍ଞାନ ପଢ଼ୁଛି ବୋଲି । କିନ୍ତୁ ଏମିତି ଅବସ୍ଥା...!

ତାକୁ ପଚାରି ଯାହା ବୁଝିଲି, ଜାଣିଲି ସେ ଆଉ ଡଃ ମହାପାତ୍ରଙ୍କ ଔଷଧ ଖାଉନି । ତା’ ମୁଣ୍ଡବିନ୍ଧା ଓ ପେଟବଥାର କାରଣ ତା’ ଦାଦାଙ୍କର ଗୁଣି ବୋଲି କହୁଛନ୍ତି ଘର ଲୋକେ । ଏ ଭିତରେ ବାପା ତା’ର ଗୁଣିଆ ପାଖକୁ ନେଇ ଛାଞ୍ଚୁଣି ମାଡ଼ ଖୁଆଇ ଝଡ଼ା ଫୁଙ୍କା ବି କଲେଣି ଅନେକ ଥର । ଚିକୁ ତା’ ଉପରେ ହେଉଥିବା ସବୁ ଅତ୍ୟାଚାରକୁ ଜାଣି ପାରୁଥାଏ ମଧ୍ୟ । ମୁଁ ଭେଟିବା ବେଳକୁ ବି ସେ ମାଡ଼ ଓ ଯନ୍ତ୍ରଣାର ବଥା ଯାଇନଥାଏ ତା’ ଦେହରୁ । ଏଇ ଦୁଇ ମାସ ତଳେ କଲେଜରୁ ସିଧା ଡାକ୍ତରଖାନା ଯିବାକୁ ପଡ଼ିଥିଲା ଯେ, ଡାକ୍ତର କହିଲେ ତାର ଆପେଣ୍ଡିସାଇଡସ୍, ପାଇଲସ ଓ ପେଟରେ ଷ୍ଟୋନ୍ ହୋଇଛି ବୋଲି । କିଛି ଦିନ ପରେ ଅପରେସନ୍ ହୋଇଛି ମଧ୍ୟ । ସେବେଠୁ କଲେଜରୁ ଯେଉଁ ଫେରିଛି ଆଉ ସେଠାକୁ ଯିବନି ବୋଲି କହୁଛି । 

ସତରେ! ଭାବିଲେ ଦେଖି କେତେ ମହାନ୍ ଆମେମାନେ! ସମ୍ଭାବନା ସବୁକୁ ମାଡ଼ିମକଚି ବିଦାରି ସାରିବା ପରେ କେତେ ଖୁସି ସମସ୍ତେ! ପିଲାଟିକୁ ପୋଷା ମନେଇପାରିବାର ଗର୍ବରେ ନିଶ୍ଚୟ ଫୁଲି ଉଠୁଥିବ ଆମର ଛାତି... ସୁନ୍ଦର କଢ଼ିଟେ ଫୁଟିବା ଆଗରୁ ପୋକ ଲାଗିବା ପାଇଁ ସବୁ ବ୍ୟବସ୍ଥାଗୁଡିକୁ କରିସାରି ଅସନା ଦେଖାଯାଉଛି କହି ଛିଡ଼ାଇ ଫିଙ୍ଗି ଦେଉଥିବା ବେଳେ ନିହାତି ବଡ଼ ମନେ କରୁଥିବା ଆମେ ନିଜକୁ । ନାଁ  କ’ଣ କହୁଛନ୍ତି?


Leave a comment